୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତି

1 min read

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ ୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତି । ସମସ୍ତଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ପାଇଁ କାମ କରିବା ସହ ସ୍ବଚ୍ଛତା ଅବଲମ୍ବନ କରି ଲୋକଙ୍କ ସେବା କରିବାକୁ ନୂତନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଲୋକସେବା ଭବନ କନଭେନସନ୍‌ ସେଣ୍ଟରରେ ଆୟୋଜିତ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ, ଖଣି ଓ ଇସ୍ପାତ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ୩ଟି ପ୍ରମୁଖ ବିଭାଗ ଯଥା- ଶକ୍ତି ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗ ଅଧୀନସ୍ଥ ଓଡିଶା ଖଣି ନିଗମରେ ୨୮୨ ଜଣ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥିରେ ଶକ୍ତି ବିଭାଗରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶକଙ୍କ ଅଧୀନରେ ୩୧ ଜଣ ଜୁନିୟର କ୍ଲର୍କ କମ ଟାଇପିଷ୍ଟ, ଆୟୁଷ ନିର୍ଦ୍ଦେଶକଙ୍କ ଅଧୀନରେ ୧୯ ଜଣ ଆୟୁର୍ବେଦ ଅଧ୍ୟାପକ ଓ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ୫୪ ଜଣ କନିଷ୍ଠ ସହାୟକ ନିଯୁକ୍ତି ପାଇଛନ୍ତି । ସେହିପରି ଓଡିଶା ଖଣି ନିଗମରେ କନିଷ୍ଠ ଯନ୍ତ୍ରୀ ମେକାନିକାଲ ୧୯, କନିଷ୍ଠ ଯନ୍ତ୍ରୀ ଇଲେକ୍ଟ୍ରିକାଲ ୧୪, କନିଷ୍ଠ ଯନ୍ତ୍ରୀ ସିଭିଲ ୧୬, କନିଷ୍ଠ ଫାର୍ମାସିଷ୍ଟ ୯ ଓ ଇଲେକ୍ଟ୍ରିସିଆନ ୩୦ ଜଣଙ୍କୁ ନିଯୁକ୍ତି ମିଳିଛି ।