ନିଜେ ଗଛ ଲଗାଇବା ସହ ଅନ୍ୟଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିଜେ ଗଛ ଲଗାଇବା ସହିତ ଅନ୍ୟମାନଙ୍କୁ ବି ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଲେ ପରାମର୍ଶ । ଚଳିତବର୍ଷ ୫ କୋଟି ଗଛ ଲଗାଇବା ପାଇଁ ଯୋଜନା କରିଛି ବନ ବିଭାଗ । ଏକ ‘ପେଡ ମା କେ ନାମ’ କାର୍ଯ୍ୟକ୍ରମରେ ମାସକ ମଧ୍ୟରେ ଦେଢ ଲକ୍ଷ ଗଛ ଲଗାଇ ସାରା ଦେଶରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଛି । ୭୫ ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଏହି ମର୍ମରେ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ, ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଡୁମୁଡୁମା ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରିଛନ୍ତି ।

ଭବିଷ୍ୟତ ପାଇଁ ଗଛ ଜରୁରୀ । ବୃକ୍ଷ ହିଁ କମାଇ ପାରିବ ପରିବର୍ତ୍ତିତ ପରିବେଶର ପ୍ରତିକୂଳ ପ୍ରଭାବ । ଏଥିପାଇଁ ସମସ୍ତେ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି । ରାଜ୍ୟର ୮ ହଜାରରୁ ଊର୍ଦ୍ଧ୍ବ ସ୍କୁଲ, ସମସ୍ତ ୩୧୪ ଆଦର୍ଶ ବିଦ୍ୟାଳୟ ଓ ଅନ୍ୟ ସ୍କୁଲ, କଲେଜରେ ବ୍ୟାପକ ଗଛ ଲଗାଯିବ । ଏଥର ୫ କୋଟି ଚାରା ମାଗଣାରେ ବାଣ୍ଟିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି । ରାଜ୍ୟରେ ୩୬.୭୧ ପ୍ରତିଶତ ଜଙ୍ଗଲ ଅଞ୍ଚଳ ରହିଛି, ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ । ଅଧିକ ଜଙ୍ଗଲ ସୃଷ୍ଟିରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ । ଜୁନ୍ ୫ରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଏକ ପେଡ ମା କେ ନାମ କାର୍ଯ୍ୟକମରେ ଓଡ଼ିଶା ୧ ଲକ୍ଷ ୪୮ ହଜାର ଗଛ ଲଗାଇ ସାରା ଦେଶରେ ଏକ ନମ୍ବରରେ ରହିଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଦାରିଙ୍ଗବାଡିରେ ଲଗାଯିବ ଚେରି ବ୍ଲସମ ଫୁଲ ଗଛ । ପୂର୍ବରୁ ଏହି ଗଛ ଜାପାନ ସହ ଭାରତର କାଶ୍ମୀର ଭଳି ଥଣ୍ଡା ରାଜ୍ୟରେ ହେଉଥିଲା । ଓଡିଶାର କାଶ୍ମୀର ଭାବେ ପରିଚିତ ଦାରଙ୍ଗବାଡ଼ିରେ ହଜାରେ ଗଛ ପ୍ରାଥମିକ ପର୍ଯ୍ୟାୟରେ ଲାଗିବ । ଆଗାମୀ ଦିନରେ ଏଥିପାଇଁ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ୧୬ ହଜାର ୧୪୩ ବନ ସୁରକ୍ଷା ସମିତି, ୫୯୪ ପରିବେଶ ଉନ୍ନୟନ କମିଟି ୧୪ ବର୍ଗ କିଲୋମିଟର ଜଙ୍ଗଲର ସୁରକ୍ଷା ଦାୟିତ୍ବ ନେଇଛନ୍ତି । ଏଥିରେ ସାମିଲ ଅଛନ୍ତି ଜଙ୍ଗଲ ଆଖପାଖର ୨୦ ଲକ୍ଷ ପରିବାର । ବନ ମହୋତ୍ସବ ଅବସରରେ ନବରଙ୍ଗପୁରର ବନ ସୁରକ୍ଷା ସମିତି ରାଜ୍ୟର ଶ୍ରେଷ୍ଠ ସମିତି ଭାବେ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଜଙ୍ଗଲ ସୁରକ୍ଷା ଓ ଗଛ ଲଗାଇବା ପାଇଁ ସଚେତନତା ଉଦ୍ଦେଶ୍ୟରେ ସ୍କୁଲ ଓ କଲେଜ ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ କାମ କରୁଥିବା ବନ ସୁରକ୍ଷା ସମିତି ଓ ଏସଏଚଜିଙ୍କୁ ୭୫ ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ସାବାସି ଦେଇଛନ୍ତି ।

ଭୁବନେଶ୍ବର ଡୁମୁଡୁମା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବନ ମହୋତ୍ସବରେ ଅତିଥିମାନେ ବୃକ୍ଷରୋପଣ କରି ସବୁଜିମା ସୃଷ୍ଟି ପାଇଁ ବାର୍ତ୍ତା ଦେଇଥିଲେ । ଉତ୍ସବରେ ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ଏକାମ୍ର ବିଧାୟକ ବାବୁ ସିଂହଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।