ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ଯୋଜନା, ଉଡ଼ିବ ୧୪ ନୂଆ ବିମାନ

ଭୁବନେଶ୍ୱର: ରାଜଧାନୀରେ ଏୟାରଲାଇନ୍ସ ସିଇଓଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱରରୁ ଆନ୍ତର୍ଜାତିକ ବିମାନ ଚଳାଚଳ ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏହି ଅବସରରେ ମଧ୍ୟପ୍ରାଚ୍ୟକୁ ବିମାନ ଚଳାଚଳ ଫୋକସରେ ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ମିଡିଲ ଇଷ୍ଟର ସବୁ ଦେଶକୁ ବିମାନ ଉଡ଼ାଣ ଲକ୍ଷ୍ୟ ରହିଛି । ଆବୁଧାବି ଓ ଦୁବାଇକୁ ବିମାନ ଚଳାଚଳ ହେବ । ସେପଟେ କୁଆଲାଲମ୍ପୁର ଓ ବ୍ୟାଙ୍କକକକୁ ଭଲ ବ୍ୟବସାୟ ହେଉଛି । ଝାରସୁଗୁଡ଼ା ବିମାନ ବନ୍ଦରରୁ ବିଦେଶକୁ  ବିମାନ ଯାତ୍ରା ଯୋଜନା ରଖିଛନ୍ତି ସରକାର ।

ସେହିପରି ଜୟପୁର, ରାଉରକେଲା ଓ ଉତ୍‌କେଲାରୁ ବିମାନସେବା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ମେ’ ମାସରୁ ରାଉରକେଲାରୁ ଭୁବନେଶ୍ୱର ବିମାନସେବା ଆରମ୍ଭ କରିବ ଆଲିଆନ୍ସ ଏୟାର । ଭୁବନେଶ୍ୱରରୁ କଳାଇଲୁଣ୍ଡାକୁ ବି ଆଲିଆନ୍ସ ଏୟାରର ଉଡ଼ିବ ବିମାନ । ସେହିପରି ସ୍ପାଇସଜେଟ ବିମାନ ଝାରସୁଗୁଡ଼ାରୁ ମୁମ୍ବାଇ, କୋଲକାତାରୁ ଝାରସୁଗୁଡ଼ା ବିମାନସେବା ଆରମ୍ଭ ହେବ ।

ଯଦି ଦେଶ ଭିତରେ ଦେଖିବା ତେବେ ଭୁବନେଶ୍ୱରରୁ ବେଙ୍ଗାଲୁରୁ, ସୁରଟ, ବାରଣାସୀ ବିମାନ ଉଡ଼ିବ । ସେପଟେ ସିଙ୍ଗାପୁର, ଆବୁଧାବି, ହଂକଂ ଓ ଦୁବାଇ ପାଇଁ ନୂଆ ପଲିସି ତିଆରି କରାଯିବ । ଭୁବନେଶ୍ୱର ବିମାନବନ୍ଦର ପାଇଁ ଅଧିକ ଜମି ଦିଆଯାଇଛି । ତେବେ ଟ୍ରାଫିକ ଇନିସିଏଟିଭ ଏବଂ ଆନ୍ତର୍ଜାତିକ ବିମାନସେବା ପାଇଁ ଭ୍ୟାଟ୍‌ ନେବେନି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଡୋମେଷ୍ଟିକ ଉଡ଼ାଣ ପାଇଁ ୧ ପ୍ରତିଶତ ଭ୍ୟାଟ୍‌ ଧାର୍ଯ୍ୟ କରାଯାଇଛି । ବୈଠକରେ ୨୧ ଟି ବିମାନ କମ୍ପାନୀର ପ୍ରତିନିଧିଙ୍କ ସହ ୫ ଜଣ ସିଇଓ ଯୋଗ ଦେଇଛନ୍ତି । ଇଣ୍ଡିଗୋ, ଏୟାର ଏସିଆ, ମାଲଡିଭିଆନ, ସିଙ୍ଗାପୁର ଓ ଥାଇ ଏୟାରଓ୍ୱେଜର ପ୍ରତିନିଧି ରହିଛନ୍ତି ।

Leave a Reply