୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ । ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ସୁନ୍ଦରଗଡ ସରକାରୀ ମେଡିକାଲ୍‌ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ଉଦଘାଟନ କରିଛନ୍ତି ନବୀନ । ସେହିଭଳି କେନ୍ଦୁଝର ଧରଣୀ ଧର ମେଡିକାଲ୍‌ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ବାଲେଶ୍ୱର ଫକୀର ମୋହନ ମେଡିକାଲ୍‌ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ମଧ୍ୟ ଉଦଘାଟିତ ହୋଇଛି । ୨ ହଜାର କୋଟିରୁ ଅଧିକ ଟଙ୍କାରେ ଏହି ମେଡିକାଲ ଗୁଡିକ ନିର୍ମାଣ କରାଯାଇଛି ।

ସେହିଭଳି କଟକ ଏ.ଏଚ୍‌.ପି.ଜି.ଆର.ସିର ସମ୍ପ୍ରସାରଣ, ବ୍ରହ୍ମପୁରର ଏମ୍‌.କେ.ସି.ଜି., ଏମ୍‌.ସି.ଏଚ୍‌ର ସମ୍ପ୍ରସାରଣ, ରାଉରକେଲା ଆର୍‌.ଜି.ଏଚ୍‌ ର ସମ୍ପ୍ରସାରଣ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନର ସମ୍ପ୍ରସାରଣ ପାଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି,ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜୁ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରଠାରୁ ଶୁଭାରମ୍ଭ କରିବେ । ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତାବ ଓ ଅଭିଯୋଗ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ଖୁବ୍‌ ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ ।