ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି। ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି। ସ୍ମୃତି ପୀଠ ପ୍ରତିଷ୍ଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇଭଉଣୀଙ୍କ ପାଇଁ ଲାଭ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇବେ । ଏହା ସହିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି।

5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରର ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଭିତ୍ତିକରି ବାଲେଶ୍ବରରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ଅବସରରେ ବାଲେଶ୍ୱର ସହର ପାଇଁ ସିଟି ବସ୍‌ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଅଧିକାର ଓ କଲ୍ୟାଣ ପାଇଁ କାମ କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍‌ ସୁବିଧା, ମହିଳା ଚାଷୀ ଓ ଯୁବକଙ୍କ ପାଇଁ ବିନା ସୁଧରେ ଋଣ ଆଦି କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର ଲୋକ ବିକାଶର ଭାଗୀଦାର ହୋଇପାରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କ ଭିତରେ ବିପୁଳ ଉତ୍ସାହ ଓ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି। ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ନୂଆ ଓଡିଶା ଗଢିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।