NMIMS ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା ବିକାଶର ନୂତନ ଯୁଗ । ଓଡ଼ିଶାରେ ଖୋଲିବ ଅନ୍ତର୍ଜାତୀୟମାନର ବିଶ୍ବବିଦ୍ୟାଳୟ NMIMS । ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଇନଫୋଭ୍ୟାଲିଠାରେ ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡ଼ିଜ୍ ବା NMIMS ବିଶ୍ବବିଦ୍ୟାଳୟ ବର୍ଷକ ମଧ୍ୟରେ ପାଠପଢା ଆରମ୍ଭ କରିବ । ଯୁବ ଗୋଷ୍ଠୀ ଆମ ଶକ୍ତି ଏବଂ ଭବିଷ୍ୟତ । ଏହି ଅନ୍ତର୍ଜାତିୟମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଶ୍ବବିଦ୍ୟାଳୟ NMIMS ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ରଖିଛି । ଉଚ୍ଚ ଶିକ୍ଷା କ୍ଷେତ୍ରାରେ  NMIMS ଶିକ୍ଷାନୁଷ୍ଠାନ ଗୁରୁତ୍ବ ରହିବ । ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରକୁ ବିଶ୍ବସ୍ତରୀୟ କରିବାରେ ସହଯୋଗ କରିବ  NMIMS  ବୋଲି ନବୀନ କହିଛନ୍ତି । NMIMS ପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀ ଭିଲେପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ବା ଏସଭିକେଏମ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇସାରିଛି । ଏନେଇ  ଏସଭିକେଏମ  ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । NMIMS ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଜଟଣୀର ଗୌଡକାଶିପୁରଠାରେ ୪୦ ଏକର ଜମି ଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି । ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ୩୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ।

କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର  ପର୍ଯ୍ୟନ୍ତ ଶିକ୍ଷାଦାନ ହେବ । SVKM ପକ୍ଷରୁ ୪୦୦କୋଟିର ପୁଞ୍ଜି ବିନିଯୋଗ ହେବ । ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସଭିକେଏମ୍ ବହନ କରିବ । ଜଟଣୀରେ ବିଶ୍ବସ୍ତରର ଶିକ୍ଷାନୁଷ୍ଠାନ ହେବାକୁ ଥିବାରୁ ଏଥିପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ ।