ଗୋଟିଏ ଦିନରେ ୩ ହଜାର ୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଜଳସେଚନ କ୍ଷେତ୍ରରେ ସୁବର୍ଣ୍ଣ ଅଧ୍ୟାୟ । ଗୋଟିଏ ଦିନରେ ୩ ହଜାର ୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ନୟାଗଡର କୁସୁମି ବ୍ୟାରେଜ ଉଦ୍ଘାଟିତ ହୋଇଛି। ୭୦.୮୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁମୀ ବ୍ୟାରେଜରୁ ଜଳ ଯୋଗାଣ ନିମନ୍ତେ  ୧୪୮.୧୭ କୋଟି ଟଙ୍କା ବ୍ୟୟରେ ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଦ୍ୱାରା ୯୨୫୪ ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇ ପାରିବ ଏବଂ ୩ଟି ବ୍ଲକର ୪୯ଟି ଗ୍ରାମର ୧.୫ଲକ୍ଷ ଲୋକ ଉପକୃତ ହେବେ । ଏହା ସହିତ ୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ଭୂତଳ ପାଇପଲାଇନ ଦ୍ୱାରା ବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରାଯାଇଛି।

ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏହାଦ୍ବାରା କଟକ ଜିଲ୍ଲାର ୮୬ ଗ୍ରାମର ୮୯୯୭ ଏକର ଚାଷ ଜମିକୁ ଜଳସେଚନ ଯୋଗାଇବା ସହିତ ୨୯୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ହେବ । ଏଥିରୁ ୧ ମେଗାୱାଟର ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଅଛି । ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ବ୍ୟୟ ଅଟକଳ ଯଥାକ୍ରମେ ୨୬୫.୨୪ କୋଟି ଓ ୧୯୫.୮୯ କୋଟି ଟଙ୍କା ରହିଛି । କଟକ ଡିମିରିଆ-ରାଉତପଡା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ବୈଦେଶ୍ୱର-ଗୋପିନାଥପୁର ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଓ ନବରଙ୍ଗପୁର ଫଟକି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ । ଏହିପରି ୩ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହିତ ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ ଓ ଅନାନ୍ୟ ପ୍ରକଳ୍ପର  ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଚାଷୀର କଲ୍ୟାଣ ଓ କୃଷିର ବିକାଶ ପାଇଁ ସରକାର ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି ।

ଚାଷୀଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଖୁବ୍ ଭଲ କାମ କରୁଛି ବୋଲି ସେ ଜାଣିପାରିଛନ୍ତି । ଗତ କିଛି ଦିନ ଧରି ଓଡିଶାର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଅନେକ ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ ହୋଇ ଆସୁଛି। ଏହା ସହିତ ନୂଆ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ରଖାଯାଉଛି। ଏହି ସବୁ ପ୍ରକଳ୍ପଗୁଡିକରେ  5T ଉପକ୍ରମ ଅଧିନରେ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରାଯାଉଛି। ଭୂତଳ ପାଇପଲାଇନ ଜରିଆରେ ଜଳସେଚନ ଯୋଗୁଁ ବିସ୍ଥାପନ ସମସ୍ୟା ଦୂର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚାଷୀ ଅର୍ଥନୀତିର ସାରଥି। ସେମାନଙ୍କୁ ସାଥିରେ ଧରି ସରକାର ସବୁବେଳେ ଚାଲିଛନ୍ତି  । ସେମାନଙ୍କ ପାଇଁ ସରକାର କାମ କରୁଛନ୍ତି ଓ କରୁଥିବେ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ । ଏହି ଅବସରରେ ଉପସ୍ଥିତ ରହି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରିଥାନ୍ତି । ଜିଲ୍ଲା ଗସ୍ତ ସମୟରେ ଜଳସେଚନ ଉପରେ ଯେଉଁ ସବୁ ପ୍ରସ୍ତାବ ଆସିଥିଲା  ସେଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ସମାଧାନ ହୋଇ ସାରିଛି ।