ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ୧୫ଟି ଅନଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ୧୫ଟି ଅନ୍ଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ (Cage Culture) ପାଇଁ ବିଭିନ୍ନ ଉଦ୍ୟୋଗୀ ମାନଙ୍କ ସହିତ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ- ଅନ୍ଲାଇନ ସେବା ଦ୍ୱାରା ମାଛ ଚାଷୀ ଓ ଉଦ୍ୟୋଗୀ ମାନେ ଘରେ ରହି ଅନ୍ଲାଇନରେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବେ । ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍ସ ପ୍ରାପ୍ତି, ଲବଣାତ୍ମକ ଜଳରେ ମାଛ ଚାଷ ଲାଗି ପଞ୍ଜୀକରଣ, ବିଭିନ୍ନ ଯୋଜନାରେ ରିହାତି ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ ।
ବୃହତ ଓ ମଧ୍ୟମ ଧରଣର ହ୍ରଦରେ କେଜ୍ କଲ୍ଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ନୂତନ ନୀତି ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ରାଜ୍ୟର ବାର୍ଷିକ ମତ୍ସ୍ୟ ଉତ୍ପାଦନ ୧.୨୪ ଟନ୍ ବଢ଼ିପାରିବ ଏବଂ ରାଜ୍ୟରେ ମାଛର ସମ୍ପୂର୍ଣ୍ଣ ଚାହିଦା ପୂରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କେଜ୍ କଲ୍ଚର ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ମିଳିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ହେବ । ଜଳଭଣ୍ଡାର ଲିଜ୍ ରୟାଲଟିରୁ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଗୁଡ଼ିକ ଲାଭବାନ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟର କୃଷି ଉଦ୍ୟୋଗୀ ମାନଙ୍କୁ ରାଜ୍ୟ ସରକାର ବାର୍ଷିକ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଓ ଯୁବକ ମାନଙ୍କୁ ବ୍ୟାପକ ଭାବରେ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ- ରାଜ୍ୟ ସରକାର କୃଷିର ଆନୁଷଙ୍ଗିକ କ୍ଷେତ୍ର ଗୁଡ଼ିକୁ ରାଜ୍ୟର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ଗ୍ରହଣ କରିଛନ୍ତି । ଏଥିପାଇଁ ଚଳିତ ବର୍ଷ ଏହି କ୍ଷେତ୍ରର ବଜେଟ୍ ପରିମାଣ ଦୁଇ ଗୁଣ ବୃଦ୍ଧି କରାଯାଇଛି । ୨୦୧୯-୨୦ରେ ରାଜ୍ୟର ମତ୍ସ୍ୟ ଓ ପଶୁ ସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୯ ପ୍ରତିଶତ ରହିଥିଲା । ଯାହାକି ଅନ୍ୟ ପ୍ରାଥମିକ କ୍ଷେତ୍ର ଗୁଡ଼ିକ ଠାରୁ ଯଥେଷ୍ଟ ଅଧିକ । ଏହା ସହିତ କୋଭିଡ୍ ସମୟରେ ଆନୁଷଙ୍ଗିକ କ୍ଷେତ୍ର ଗୁଡ଼ିକ ପାଇଁ ରାଜ୍ୟ ସରକାର ୧୭୩ କୋଟି ଟଙ୍କାର କୋଭିଡ୍ ପ୍ୟାକେଜ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ୪୪ ହଜାରରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ- ରାଜ୍ୟର ବୃହତ ଓ ମଧ୍ୟମ ଜଳଭଣ୍ଡାରର ୧ ପ୍ରତିଶତ ଜଳଭାଗରେ ବ୍ୟବସାୟିକ ଭାବରେ ପଞ୍ଜୁରୀ ମାଛ ଚାଷ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ୬୦୦ଟି ସବ୍ ଜୋନ୍ ମଧ୍ୟରୁ ୧୦୦ଟି ସବ୍ ଜୋନରେ ଉଦ୍ୟୋଗୀ ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ଉଦ୍ୟୋଗୀଙ୍କ ସହିତ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ମାଛ ଚାଷ ନିମନ୍ତେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।
ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ- ମୁଖ୍ୟମନ୍ତ୍ରୀଙ୍କର ଦୃଢ ନେତୃତ୍ୱରେ ବିଭାଗ ରାଜ୍ୟର କୃଷକ ଓ ଆନୁଷଙ୍ଗିକ କ୍ଷେତ୍ରରେ ବିକାଶ ଉପରେ ଗୁରୁତ୍ୱ ଦେବା ସହ ଏ କ୍ଷେତ୍ରରେ ଅଧିକ ଉଦ୍ୟୋଗୀ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରାଯାଉଛି ।
ଏହି ଅବସରରେ କେଜ୍ କଲ୍ଚର ମାଛ ଚାଷ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଦୁଇ ଜଣ କେଜ୍ କଲ୍ଚର ଚାଷୀ ମାନଙ୍କ ମତାମତ ନିଆଯାଇଥିଲା । ବିଭାଗୀୟ ସଚିବ ଆର୍ ରଘୁ ପ୍ରସାଦ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍. କେ ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।