5T ଉପକ୍ରମରେ ବଦଳୁଛି ଶିକ୍ଷା ଭିତ୍ତିଭୂମି, ତୃତୀୟ ପର୍ଯ୍ୟାୟରେ ୩୨୮ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ

1 min read

ଭୁବନେଶ୍ୱର: ଜୀବନରେ ପରିବର୍ତ୍ତନ ଆଣିବ 5T । 5T ନିୟମ ମାନି କାମ କଲେ ସଫଳତା ପାଇପାରିବେ ଛାତ୍ରଛାତ୍ରୀ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପାଞ୍ଚୋଟି ଜିଲ୍ଲାରେ ୩୨୮ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟର ୫୮, ବଲାଙ୍ଗୀରର ୧୦୦, ସମ୍ବଲପୁରର ୬୧, ପୁରୀର ୫୩ ଓ କେନ୍ଦ୍ରାପଡ଼ାର ୫୬ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ ହୋଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କରି ମୁଁ ବହୁତ ଖୁସି । ରୂପାନ୍ତରଣ ସ୍କୁଲ ପାଇଁ ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢିଛି । ଛାତ୍ରଛାତ୍ରୀଙ୍କ ସଫଳତା ହେଉଛି ଓଡ଼ିଶାର ସଫଳତା । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । 5T ନିୟମ ମାନି କାମ କଲେ ଜୀବନରେ ସଫଳତା ମିଳିବ । ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ୱାରା ମଣିଷର ବିଶ୍ୱାସନୀୟତା ବୃଦ୍ଧି ପାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ ଛାତ୍ରଛାତ୍ରୀ । ଏହି ଅବସରରେ କୋରାପୁଟ ଚାନ୍ଦଲିର ଛାତ୍ରୀ ବିଷ୍ଣୁପ୍ରିୟା ସୁବୁଦ୍ଧି କହିଛନ୍ତି ମୁଖ୍ୟମନ୍ତ୍ରୀ ଆମ ସୁନ୍ଦର ଭବିଷ୍ୟତର ସାକାର ପାଇଁ ଚେଷ୍ଟା କରୁଛନ୍ତି । ଆପଣ ମୋ ପ୍ରେରଣା, ମୁଁ ଆପଣଙ୍କ ଭଳି ହେବି ବୋଲି ନବୀନଙ୍କୁ କହିଛନ୍ତି ବିଷ୍ଣୁପ୍ରିୟା । ସେହିଭଳି କୁଲକିମୁଣ୍ଡା ଛାତ୍ରୀ ଦୀପାଞ୍ଜଳି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କହିଛନ୍ତି ମୁଁ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ପାଇଲଟ ହେବି । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ ।