ଇସ୍ତଫା ଦେବେ ନାହିଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ରାଞ୍ଚି: ଇସ୍ତଫା ଦେବେ ନାହିଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚିରେ ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ହୋଇଛି ନିଷ୍ପତ୍ତି । ୪୩ ବିଧାୟକଙ୍କ ନେଇ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ବୈଠକରେ ସବୁ ବିଧାୟକ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରହିବା ନେଇ ସମର୍ଥନ ଦେଇଛନ୍ତି । ଏହା ସହ ଇଡିର ପଦକ୍ଷେପ ଉପରେ ମଧ୍ୟ ନଜର ରଖାଯିବ ବୋଲି କହିଛନ୍ତି ।

ଏହି ନିଷ୍ପତ୍ତି ଏଭଳି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ହେମନ୍ତ ସୋରେନ, ଇଡିର ସପ୍ତମ ଥର ସମନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏମିତିକି କୁହାଯାଉଛି ଯେ, ସୋରେନ୍ ଇଡିକୁ ଚିଠି ଲେଖି ଏହି ଯାଞ୍ଚ ଅବୈଧ ବୋଲି କହିଛନ୍ତି । ଇଡ଼ି ଡିସେମ୍ବର ୨୯ରେ ଏକ ଚିଠି ଜାରି କରି ମୁଖ୍ୟମନ୍ତ୍ରୀ ଜମି ଘୋଟାଲା ସହ ଜଡ଼ିତ ମାମଲାରେ ବୟାନ ରେକର୍ଡ ପାଇଁ ଦୁଇ ଦିନ ମଧ୍ୟରେ ନିଜ ସୁବିଧା ଅନୁଯାୟୀ ସ୍ଥାନ ଏବଂ ସମୟ ଜଣାଇବାକୁ ଅପିଲ୍ କରିଥିଲା । ଇଡି ତରଫରୁ ଦିଆଯାଇଥିବା ଡେଡଲାଇନ ଡିସେମ୍ବର ୩୧ରେ ଶେଷ ହୋଇଥିଲା । ହେମନ୍ତ ସୋରେନ ଇଡି ନୋଟିସକୁ ପ୍ରତ୍ୟାଖ୍ୟାନ କରିବା ପରେ ଗିରଫ କୁନେଇ ଆଶଙ୍କା ବଢ଼ିଥିଲା ।