ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: ଘରେ ରହି ହୋଲି ପାଳିବାକୁ କଲେ ନିବେଦନ

ଭୁବନେଶ୍ୱର: ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ନିଜକୁ ତଥା ବନ୍ଧୁ ପରିଜନଙ୍କୁ ସୁରକ୍ଷିତ ରଖିବା ପାଇଁ ଚଳିତ ବର୍ଷ ଘରେ ରହି ହୋଲି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କୋଭିଡଠାରୁ ଦୂରେଇ ରହିବା ପାଇଁ ନିୟମର କଡ଼ାକଡ଼ି ପାଳନ ସମସ୍ତଙ୍କର ସଂକଳ୍ପ ହେଉ। ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ବିଜୁ ଜନତା ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ରାଜ୍ୟବାସୀଙ୍କୁ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ  ସ୍ଥିତିରେ ସମସ୍ତଙ୍କ ସୁରକ୍ଷା ପାଇଁ କୋଭିଡ ନିୟମ ମାନି ଘରେରହି ହୋଲି ଉତ୍ସବକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଣବ । ଆନନ୍ଦ, ଉଲ୍ଲାସ ମଧ୍ୟରେ ହୋଲି ଭାଇଚାରା , ଏକତା ଓ ସାହାନୁଭୂତିର ପର୍ବ ହେବ ବୋଲି ପ୍ରଣବ କାମନା କରିଛନ୍ତି ।

          ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ହୋଲି ପାଳନ ନେଇ କଟକଣା ଜାରି କରିଛି ପ୍ରଶାସନ । ଘରେ ରହି ହୋଲି ଖେଳିବାକୁ ସରକାର ପରାମର୍ଶ ଦେଇଛନ୍ତି । ସେହିପରି ରାଜଧାନୀରେ ହୋଲି କଟକଣା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ଛକ ଓ ଭିଡ଼ ସ୍ଥାନରେ କଡ଼ା ନଜର ରଖିବ ପୋଲିସ । ପାଟ୍ରୋଲିଂ ପାଇଁ ୨୦ ପିସିଆର୍‌ ଭ୍ୟାନ୍, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେଇଛନ୍ତି । ବିଏମ୍‌ସି ଗାଇଡ୍‌ଲାଇନ୍ ମାନିବାକୁ ରାଜଧାନୀବାସୀଙ୍କୁ ଭୁବନେଶ୍ବର ଡିସିପି ଅପିଲ୍ କରିଛନ୍ତି । ବାହାରେ ହୋଲି ଖେଳନ୍ତୁ ନାହିଁ, ନିଜ ପରିବାର ସହ ହୋଲି ଖେଳିବା ପାଇଁ ଆହ୍ବାନ କରିଛନ୍ତି ଡିସିପି  । ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଭାଇଚାରାର ପର୍ବରେ ଭାଇରସ୍ ନ ବ୍ୟାପୁ: କରୋନା କଟକଣା ମାନି ହୋଲି ଖେଳିବାକୁ ପରାମର୍ଶ

Leave a Reply