ଆହୁରି ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର, ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

1 min read

ପୁରୀ: ସଜ୍ଜେଇ ହେଉଛି ଶ୍ରୀକ୍ଷେତ୍ର, ଦିଶିବ ଆହୁରି ସୁନ୍ଦର । ବଡ଼ଦାଣ୍ଡରୁ ବାହୁ ମେଲାଇ ଭକ୍ତଙ୍କୁ କୋଳେଇ ନେବେ କାଳିଆ ସାଆନ୍ତ । ସେଥିପାଇଁ ଶ୍ରୀକ୍ଷେତ୍ରର ଚାଲିଛି ନବକଳେବର । ଅବଢ଼ା ଯୋଜନା ମାଧ୍ୟମରେ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟସ୍ଥଳୀରେ ପରିଣତ କରିବାକୁ କାର୍ଯ୍ୟ ଚାଲିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମ୍ୟୁନିସିପାଲିଟି ମାର୍କେଟ ପଡ଼ିଆରେ ୪ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାଛଡ଼ା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଗଢିବାକୁ ଦୀର୍ଘ ମିଆଦି ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି । ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ଆଦିର ପରିକଳ୍ପନା ହୋଇଛି । ଶ୍ରୀକ୍ଷେତ୍ର ବିକାଶ ନକ୍ସାରେ ସ୍ଥାନ ପାଇଛି ବହୁ ମେଗା ପ୍ରକଳ୍ପ । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ଆଜି ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ହେଉଛି ଶ୍ରୀସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ କାର୍‌ ପାର୍କିଂ, ମ୍ୟୁନିସିପାଲିଟି ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ୱର୍ଗଦ୍ୱାରର ପୁନରୁଦ୍ଧାର, ସମୁଦ୍ରକୂଳରେ ଭେଣ୍ଡିଂଜୋନ ଏବଂ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳା ।

ଶ୍ରୀ ସେତୁ

ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ବାଇପାସ୍‌ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲଗ୍ରୀମ ସେଣ୍ଟରକୁ ଶ୍ରୀସେତୁ ଦ୍ୱାରା ସଂଯୋଗ କରାଯିବ । ଅବଢ଼ା ଯୋଜନାରେ ନିର୍ମାଣ ହେବାକୁ ଥିବା ଶ୍ରୀସେତୁ ପାଇଁ ୧୮୧ କୋଟି ଟଙ୍କା ଖର୍ଚ୍ଚ ହେବ । ରାସ୍ତା ଓ ବ୍ରିଜର ଲମ୍ବ ପ୍ରାୟ ୨.୩ କିମି ହେବ । ଏହି ସେତୁ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜା ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ନଂ-୧ ଓ ଦାଣ୍ଡିମାଳ ସାହିର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ ହେବ । ମୋଟ ଜମି ମଧ୍ୟରୁ ବେସରକାରୀ ଜମି ୩୪ ଏକର ୨୪୬ ଡେସିମିଲ ଥିବାବେଳେ ସରକାରୀ ଜମି ୩ ଏକର ୭୩୮ ଡେସିମିଲ ରହିଛି । ଏଥିମଧ୍ୟରେ ସମଙ୍ଗ ମୌଜାରୁ ସର୍ବାଧିକ ବେସରକାରୀ ଜମି ୧୭ ଏକର ୯୪୭ ଡେସିମିଲ ଜମି ଅଧିଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

ତୀର୍ଥଯାତ୍ରୀ କେନ୍ଦ୍ର

ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅବଢ଼ା ଯୋଜନାରେ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପିଲିଗ୍ରୀମ୍‌ ସେଣ୍ଟର ବା ତୀର୍ଥଯାତ୍ରୀ କେନ୍ଦ୍ର ତିଆରି କରାଯିବ । ଏହା ୬ ମହଲା ବିଶିଷ୍ଟ ହେବ । ଏଠାରେ ୧୦୦୦ କାର୍‌ ପାର୍କିଂ ପାଇଁ ବହୁମୁଖି ପାର୍କିଂ ସ୍ଥଳ ନିର୍ମାଣ ହେବ । ଧ୍ୟାନକେନ୍ଦ୍ର, ବ୍ୟବସାୟିକ ସୁବିଧା ଆଦି କରାଯିବ । ଏଥିପାଇଁ ପ୍ରାୟ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।ବହୁତଳ କାର୍‌ ପାର୍କିଂ

ପୁରୁଣା ଜେଲ୍‌ରୋଡ ପରିସରରେ ୪ ମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ କରାଯିବ । ଏଠାରେ ୫୦୦ କାର୍‌ ଓ ୫୦୦ ଦୁଇଚକିଆ ଗାଡ଼ି ରହିପାରିବ । ଏଥିସହ ୩୫୦ ଦୋକାନ ଘର କରାଯିବ । ଏଥିପାଇଁ ୯୦ କୋଟି ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ।ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ

ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ନୂତନ ଭାବେ ତିଆରି କରାଯିବ । ଏଠାରେ ବେସ୍‌ମେଣ୍ଟ ଏବଂ ଗ୍ରାଉଣ୍ଡ ଫ୍ଲୋର ବାଦ୍‌ ୩ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ । ପ୍ରାୟ ୫୦୦ ଦୋକାନ ଘର ରହିବ । ୧୦୦ଟି ଚାରିଚକିଆ ଗାଡ଼ି ରହିବା ଭଳି ପାର୍କିଂ ସୁବିଧା ଉପଲବ୍ଧ ହେବ । ୩୦୦ କିଲୋୱାଟ୍‌ର ରୁଫ୍‌ଟଫ୍‌ ସୋଲାର ସିଷ୍ଟମ ରହିବ । ଏଥିରେ ପ୍ରାୟ ୪୪ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

ବଦଳିବ ସ୍ୱର୍ଗଦ୍ୱାରର ରୂପ, ଏମିତି ଦେଖାଯିବ

ଉପରୋକ୍ତ ୪ଟି ପ୍ରକଳ୍ପ ବ୍ୟତୀତ ସ୍ୱର୍ଗଦ୍ୱାର ପୁନଃ ବିକାଶ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶବଦାହ ପାଇଁ ଆସୁଥିବା ସମ୍ପର୍କୀୟଙ୍କ ଲାଗି ଏଠାରେ ଅତ୍ୟାଧୁନିକ ସୁବିଧା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ବ୍ୟୟ ବରାଦ ହୋଇଥିବା ଅର୍ଥରେ ୧୮ଟି ଶବଦାହ ପିଣ୍ଡି କରାଯିବ । ସମୁଦ୍ର କୂଳରେ ୮୦୦ ଭେଣ୍ଡିଂଜୋନ (କିଓସ୍କ) କରାଯିବ । ଏଥିପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ସରକାରୀ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳାର ମଧ୍ୟ ଶିଳାନ୍ୟାସ କରାଯାଇଛି । ମଙ୍ଗଳାଘାଟଠାରେ ୫୦ ହଜାର ବର୍ଗଫୁଟ ଜାଗାରେ ଏହି ରୋଷଶାଳା ତିଆରି କରାଯିବ । ଏଠାରେ ପ୍ରତ୍ୟହ ୫୦ହଜାର ମିଲ୍‌ ପ୍ରସ୍ତୁତ କରାଯିବ ।

ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶର ନକ୍ସା, ୫୯୦ କୋଟିରେ ନିର୍ମାଣ ହେବ ବିଶ୍ୱ ଐତିହ୍ୟ ନଗରୀ

Leave a Reply