ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଜି ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ପ୍ରତିଷ୍ଠାରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା । ଡକ୍ଟର ଜେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଥିଲେ । ସେ ଥିଲେ ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ ଅବଦୁଲ କଲାମଙ୍କ ପରମ ମିତ୍ର । ଡକ୍ଟର ଜେନା ଥିଲେ ପ୍ରଥମ ଓଡ଼ିଆ, ଯିଏ କି ଭାରତ ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ -CSIRର ମହାନିର୍ଦ୍ଦେଶକ । ଇନଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସ, ସାଇନସ ପାର୍କ ଓ ପଠାଣି ସାମନ୍ତ ପ୍ଲାନେଟାରିଅମ ପ୍ରତିଷ୍ଠାରେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।