ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ଆତିଶୀ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ ପ୍ରାର୍ଥିପତ୍ର ଭରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ସେପଟେ ନିର୍ବାଚନ ପରିପ୍ରେକ୍ଷୀରେ ବଢୁଛି ଆରୋପ, ପ୍ରତ୍ୟାରୋପର ରାଜନୀତି । ବିଭିନ୍ନ ପ୍ରମୁଖ ଦଳ ପରସ୍ପର ଉପରେ କରୁଛନ୍ତି ଆକ୍ରମଣ। ଗତକାଲି ଇଣ୍ଡି ମେଣ୍ଟ ରାଲିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଶାଣିତ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରଦୂଷଣ ଓ ମୁଦ୍ରାସ୍ଫୀତି ଲାଗି କେଜରିୱାଲ ଦାୟୀ ବୋଲି କହିଥିଲେ ରାହୁଲ। ସେ କହିଥିଲେ- ଦିଲ୍ଲୀକୁ ଏକ ସ୍ବଚ୍ଛ ସହରରେ ପରିଣତ କରିବା, ଦୁର୍ନୀତିମୁକ୍ତ ଶାସନ ଓ ଜାତୀୟ ରାଜଧାନୀକୁ ପ୍ୟାରିସରେ ପରିଣତ କରାଯିବ ବୋଲି କେଜରିୱାଲ କହିଥିଲେ। ହେଲେ ସବୁକିଛି ପ୍ରତିଶ୍ରୁତିରେ ରହିଯାଇଥିଲା। ସେପଟେ ରାହୁଲଙ୍କୁ କଡା ଜବାବ ଦେଇଥିଲେ କେଜରିୱାଲ।

କେଜରିୱାଲ କହିଥିଲେ- ରାହୁଲ କଂଗ୍ରେସକୁ ବଞ୍ଚାଇବା ଲାଗି ଲଢେଇ କରୁଛନ୍ତି। କିନ୍ତୁ ସେ ଦେଶକୁ ରକ୍ଷା କରିବା ଲାଗି ଲଢେଇ କରୁଛନ୍ତି। ତେଣେ ପ୍ରଦୂଷଣ, ମୌଳିକ ସୁବିଧା ଓ ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ଦିଲ୍ଲୀ କଂଗ୍ରେସ ପକ୍ଷରୁ ପ୍ରକାଶିତ କରାଯାଇଛି ୧୨ ଦଫା ସମ୍ବଳିତ ଶ୍ବେତପତ୍ର। ତେଣେ ନିଜ ନିର୍ବାଚନ ଇସ୍ତାହାରରେ ଆପ୍ ୭ରୁ ୮ଟି ଲୋକପ୍ରିୟ ପ୍ରତିଶ୍ରୁତି ଘୋଷଣା କରିପାରେ ବୋଲି ସୂଚନା ମିଳିଛି। ମାଗଣା ବିଦ୍ୟୁତ, ପାଣି, ଶିକ୍ଷା, ତୀର୍ଥ ଯାତ୍ରା, ମହିଳାଙ୍କ ଲାଗି ବସଯାତ୍ରା ସୁବିଧା ଦଳ ଘୋଷଣା କରିବ ବୋଲି ସୂଚନା ମିଳିଛି। ହାଟ୍ରିକ ଲକ୍ଷ୍ୟ ରଖିଥିବା ଆପ୍ ମହିଳା ସମ୍ମାନ ଯୋଜନା, ସଞ୍ଜୀବନୀ ଯୋଜନା, ଗ୍ରନ୍ଥୀ ସମ୍ମାନ ଯୋଜନା ଆଦି ଘୋଷଣା କରିସାରିଛି। ତେଣେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରା ଏକ ମାମଲା ରୁଜୁ ହୋଇଛି। ଗତ ଜାନୁଆରୀ ୭ରେ ନିର୍ବାଚନ ଘୋଷଣା ପରେ ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗର ଏକ ଗାଡିରେ ନିର୍ବାଚନ ପ୍ରଚାର ସାମଗ୍ରୀକୁ ଆପର ନିର୍ବାଚନ କାର୍ଯ୍ୟାଳୟରେ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। …