ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା; ୧୫ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

1 min read

ଶ୍ରୀନଗର: ଅମରନାଥ ଗୁମ୍ଫା ନିକଟରେ ଅଘଟଣ ।  ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ ବାଦଲ ଫାଟିଯିବା କାରଣରୁ ମୂଶଳ ଧାରରେ ବର୍ଷା ହୋଇଥିଲା । ଯାତ୍ରୀ ରହୁଥିବା ଟେଣ୍ଟ ଭାସିଯାଇଥିଲା । ଅନେକ ଲୋକ ମଧ୍ୟ ଏଥିରେ ଭାସିଯାଇଥିବା ସନ୍ଦେହ କରାଯାଉଛି । ଆଜି ଅପରାହ୍ନ ୫ ଟା ୩୦ ସମୟରେ ଏହି ଅଘଟଣ ଘଟିଥିଲା  ।

ହେଲିକପ୍ଟର ଜରିଆରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ପ୍ରାୟ ୮ ରୁ ୧୦ ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଗତ ୩୦ ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ପୂର୍ବରୁ ଅନେକ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି । ଗତ ମଙ୍ଗଳବାର ପାଗ ଖରାପ କାରଣରୁ ଦର୍ଶନ ବନ୍ଦ ରହିଥିଲା  । ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ପାଖରେ ଟେଣ୍ଟ ଲଗାଇ ରହୁଥିଲେ  ।