ରାଜ୍ୟ ପାଇଁ ଘନେଇ ଆସୁଛି ବିପଦ ! ଜଳବାୟୁ ପରିବର୍ତ୍ତନ ଯୋଗୁଁ କୂଳ ଲଙ୍ଘୁଛି ସମୁଦ୍ର

ଭୁବନେଶ୍ବର : ଓଡ଼ିଶାରେ ବଢୁଛି ସମୁଦ୍ର ଏରିଆ। ୪୮୦ କିଲୋମିଟରରୁ ୫୭୦ କିଲୋମିଟରରେ ପହଞ୍ଚିଲାଣି ରାଜ୍ୟର ସମୁଦ୍ର ତଟ। ସମୁଦ୍ର ଯେତିକି ବଢୁଛି, ରାଜ୍ୟ ପାଇଁ ବିପଦ ସେତିକି ଘନଉଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଗଞ୍ଜାମର ଗୋପାଳପୁରରୁ କେନ୍ଦ୍ରାପଡ଼ାର ତାଳସରି ଯାଏଁ କୂଳ ଲଙ୍ଘି ଚାଲିଛି ସମୁଦ୍ର। ଜନବସତି ଆଡ଼କୁ ଗର୍ଜନ କରି ମାଡ଼ି ଆସୁଥିବାରୁ ଆଶଙ୍କାରେ ସମୁଦ୍ର କୂଳିଆ ଲୋକେ। ପ୍ରଦୂଷଣ ବି ଆଉ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ସମୁଦ୍ରରେ ସିଧାସଳଖ ମିଶୁଛି କଳକାରଖାନାରୁ ନିର୍ଗତ ବର୍ଜ୍ୟଜଳ। ଯାହାର ପ୍ରଭାବ ସାମୁଦ୍ରିକ ଜୀବଙ୍କ ଉପରେ ପଡୁଛି। ଆବଶ୍ୟକତା ଠାରୁ ଅଧିକ ମାଛଧରା ଯୋଗୁଁ କମି ଚାଲିଛି ଛୋଟ ଛୋଟ ମାଛଙ୍କ ସଂଖ୍ୟା। ଏହାସହ ବିଗିଡ଼ି ଯାଉଛି ସମୁଦ୍ରର ଇକୋ ସିଷ୍ଟମ। ବିପଦରେ ଅଲିଭ ରିଡଲୀ କଇଁଛଙ୍କ ଠାରୁ ଆରମ୍ଭ କରି କୁମ୍ଭୀରଙ୍କ ସହ ସାମୁଦ୍ରିକ ଜୀବ। ଏଭଳି ବ୍ୟାପକ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ଓ ବୁଦ୍ଧିଜୀବୀ।

ସମୁଦ୍ର ସୁରକ୍ଷା ପାଇଁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଭିନ୍ନ ସଙ୍ଗଠନ। ଉପକୂଳ ସୁରକ୍ଷା ଓ ସଂରକ୍ଷଣ ପାଇ ଅଣ୍ଟା ଭିଡ଼ିଛନ୍ତି ଶିକ୍ଷାବିତ୍, ପରିବେଶବିତ ଓ ସରକାରୀ ଅଧିକାରୀ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଗୁଡୁଥିବା ସନ୍ତୁଳନକୁ ରକ୍ଷା କରିବା ପାଇଁ ବ୍ୟାପକ ଜନସଚେତନତା ଜରୁରୀ। ଏହାସହ ଆଇନର ସଠିକ୍ ଅନୁପାଳନ ଉପରେ ଗୁରୁତ୍ବ ଦେବାର ରହିଛି ଆବଶ୍ୟକତା। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ, ଉପକୂଳ ସୁରକ୍ଷା ଯୋଜନା କେବଳ କାଗଜ କଲମରେ ସୀମିତ ବୋଲି ଅଭିଯୋଗ କରିଛନ୍ତି ପରିବେଶବିତ୍। ଜୀବନ ଜୀବିକାକୁ ନେଇ ଯେଉଁମାନେ ସମୁଦ୍ର ଉପରେ ନିର୍ଭର କରୁଛନ୍ତି, ସେମାନଙ୍କୁ ବିଶ୍ବାସକୁ ନେଇ ଆଲୋଚନା କରିବା ଦରକାର ବୋଲି ମତ ରଖିଛନ୍ତି ପରିବେଶବିତ୍। ଜୟବାୟୁକୁ ନେଇ ସମୟର ତାଳେ ତାଳେ ବିଗିଡ଼ି ଚାଲିଛି ଉପକୂଳ ଓଡ଼ିଶାର ସ୍ଥିତି। ଏତିକି ବେଳେ ସରକାର, ବେସରକାରୀ ସଙ୍ଗଠନ, ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ନିରାକରଣ ବାବଦରେ ପଦକ୍ଷେପ ନେବାର ରହିଛି ଯଥେଷ୍ଟ ଆବଶ୍ୟକତା।