ଓଡ଼ିଶୀ ସଂଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା, ପ୍ରତିଶ୍ରୁତି ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ

1 min read

ଭୁବନେଶ୍ୱର, ଓଡ଼ିଶୀ ସଂଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା । ଏ ନେଇ ସଂସଦର ଉଚ୍ଚ ସଦନ ରାଜ୍ୟ ସଭାରେ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ପକ୍ଷରୁ ସଦନରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ଏହି ଦାବି ଉଠାଇଥିଲେ । ରାଜ୍ୟ ସଭାରେ ଏହି ଦାବି ଉଠାଇବା ପରେ ଟୁଇଟ୍ କରି ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ଅମର କହିଛନ୍ତି ଯେ, ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷା ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶୀ ସଂଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ଏହି ଦାବିକୁ ରାଜ୍ୟ ସଭାରେ ଆଉ ଥରେ ଉପସ୍ଥାପନ କରାଯାଇଛି । ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକି ସଂଗୀତ ଅପେକ୍ଷା ଓଡ଼ିଶୀ ସଂଗୀତ ଅତି ପ୍ରାଚୀନ ବୋଲି ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ବସିଥିବା ଐତିହ୍ୟ କ୍ୟାବିନେଟ୍ ରେ ଏହି ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ରାଜ୍ୟ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପକୁ ଜୋରଦାର କରାଯାଇଛି । ଉଲ୍ଲେଖଯୋଗ୍ୟ, ଭରତମୁନିଙ୍କ ରଚିତ ନାଟ୍ୟ ଶାସ୍ତ୍ର ଉଡ୍ର ମଗଧୀ ସଂଗୀତର ଅବତାରଣା କରାଯାଇଛି । ଉଡ୍ର ମଗଧୀ ସଂଗୀତ ହିଁ ପରବର୍ତ୍ତୀ ସମୟରୋ କଳିଙ୍ଗ ସଂଗୀତ ତଥା ଉତ୍କଳ ସଂଗୀତ ଭାବେ ପରିଚିତ ଲାଭ କରିଛି । ତେଣୁ ଓଡ଼ିଶୀ ସଙ୍ଗୀତକୁ ଅନ୍ୟ ମୁଖ୍ୟ ପାରମ୍ପରିକ ସଙ୍ଗୀତ ଭାବେ ଗ୍ରହଣ କରିବା ଉଚିତ । ଏ କ୍ଷେତ୍ରରେ ଉତ୍କର୍ଷତା ପ୍ରଦାନ କରୁଥିବା କଳାକାରଙ୍କୁ ପୁରସ୍କୃତ କରାଯାଉଛି ।

ଓଡ଼ିଆ ଭାଷା ଭାରତର ଷଷ୍ଠ ତମ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଛି । ତେଣୁ ସମକାଳୀନ ଓଡ଼ିଶୀ ସଙ୍ଗୀତ ଏଯାଏ ମାନ୍ୟତା ପାଇ ନାହିଁ । ତେଣୁ ଓଡ଼ିଶୀ ସଙ୍ଗୀତର ପୁରାତନ ଓ ମୌଳିକ ରାଗ ରାଗିଣୀ, ବୈଶିଷ୍ଟ୍ୟ, ଗାୟନ ପଦ୍ଧତି, ଐତିହ୍ୟବନ୍ତ ପୃଷ୍ଠଭୂମି ଏବଂ ଜନାଦୃତି ପରିପ୍ରେକ୍ଷୀରେ ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ।

 

Leave a Reply