ମହାଲିଙ୍ଗ କଲେଜ ମିଛ ଗୁଜବରୁ ହଟୁଛି ପରଦା

1 min read

ଧର୍ମଗଡ଼: ମହାଲିଙ୍ଗ କଲେଜକୁ ନେଇ ମିଛ ଗୁଜବ ଉପରୁ ହଟୁଛି ପରଦା । ମମିତା ମେହେର ହତ୍ୟା ମାମଲାରେ ବିନା କାରଣରେ କାଠଗଡ଼ାକୁ ଟଣା ହୋଇଥିଲା ମହାଲିଙ୍ଗ କଲେଜ୍‌। ସୁରକ୍ଷିତ ବାତାବରଣରେ ଶିକ୍ଷାଦାନ ଚାଲୁଥିବା ବେଳେ ମିଛ ଅପବାଦ ଆଣିଥିଲା ସତ ଆତଙ୍କ । ହେଲେ ଏବେ ବଦନାମୀର ମିଛ କାଳିମା ହଟିଛି, ପାଠପଢା ସହ ଫେରୁଛି ସ୍ୱାଭାବିକ ସ୍ଥିତି । ସେପଟେ କଲେଜର ସମସ୍ତ ଦସ୍ତାବିଜକୁ ପ୍ରଶାସନ ଯାଞ୍ଚ କରିବା ସହ ଗଭର୍ଣ୍ଣିଂ ବଡି ପାଇଁ ଅନୁମତି ଦେବେ ନା ନାହିଁ ସେନେଇ ବିଚାର ଚାଲିଛି ।

ମମିତା ହତ୍ୟା ମାମଲାରେ ମହାଲିଙ୍ଗ କଲେଜ ଉପରେ ବୋଳା ହୋଇଥିଲା ମିଛ କାଳିମା। ନା ତଥ୍ୟ ନା ପ୍ରମାଣ, ଅଭିଯୁକ୍ତକୁ ଯୋଡ଼ି କଲେଜକୁ କାଠଗଡ଼ାକୁ ଟଣାଗଲା । ଦୋଷ କଲା ଜଣେ, ବିନା ଦୋଷରେ ବଦନାମ୍‌ ହେଲା କଲେଜ । ବାଜିରେ ଲାଗିଲା ୨ହଜାର ପିଲାଙ୍କ ଭବିଷ୍ୟତ । ଏବେ ଗୁଜବ ଉପରୁ ପରଦା ଉଠିଛି । ଫସର ଫାଟିଛି ଅପପ୍ରଚାରକାରୀଙ୍କ ଯୋଜନା। ମିଛର କଳାବାଦଲ ହଟିଛି, ଏବେ ଜଳଜଳ ଦିଶୁଛି ମହାଲିଙ୍ଗ କଲେଜର ସତ । ଭବିଷ୍ୟତ ଗଢିବାକୁ କ୍ୟାମ୍ପସରେ କୋଳାହଳ । ଗତକାଲିଠାରୁ ଯୁକ୍ତଦୁଇ ପ୍ରଥମ ବର୍ଷ କଲେଜ ସହ ହଷ୍ଟେଲ ବି ଖୋଲିଛି । କ୍ଲାସରୁମ୍‌ ଓ ବିଜ୍ଞାନ ଲ୍ୟାବରେ ପଢୁଛନ୍ତି ପିଲା ।

ସେପଟେ ଧର୍ମଗଡ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଗୋଲାମୁଣ୍ଡା ତହସିଲଦାର କଲେଜକୁ ଯାଇ ତଦନ୍ତ କରିଛନ୍ତି l ପୂର୍ବଭଳି କଲେଜରେ ପାଠପଢ଼ା ଚାଲିଛି । କୌଣସି ଗୁଜବରେ ଭୟ ନକରି ନିୟମିତ ଭାବେ କଲେଜ ଆସିବାକୁ କହିଛନ୍ତି ଅଧ୍ୟାପକ ସୁଶାନ୍ତ ନାଏକ ।

ମମିତା ହତ୍ୟା ମାମଲାରେ ଆଇନ ଫାଶରେ ଅଭିଯୁକ୍ତ । ତଦନ୍ତ ଚାଲିଛି, ତଥ୍ୟ, ପ୍ରମାଣ ଯୋଗାଡ଼ କରାଯାଉଛି । ହେଲେ ବିନା କାରଣରେ ମହାଲିଙ୍ଗ କଲେଜକୁ ବଦନାମ୍‌ କରିବାକୁ ଉଦ୍ୟମ ହୋଇଥିଲା । ଅପରାଧ ପାଇଁ ମିଛରେ ଆତଙ୍କ ସୃଷ୍ଟି କରାଯାଇଥିଲା । ଏବେ ସତ ସାମନାକୁ ଆସିବା ପରେ କଲେଜରେ ସ୍ୱାଭାବିକ ହେଉଛି ପାଠପଢ଼ା।

Leave a Reply