ସିପିଙ୍କୁ ଦେଲେ ସଞ୍ଚିତ ଅର୍ଥ, କହିଲେ ଅଙ୍କଲ ଆପଣଙ୍କ ସେବାରେ ଲାଗୁ ମୋ ଟଙ୍କା..

ଭୁବନେଶ୍ୱର: କୁନି ପିଲା ଟା। ହୁଏତ ଦୁନିଆକୁ ଭଲସେ ଦେଖିନି, ବୁଝିବା ତ ପରର କଥା । ସାଙ୍ଗ ସାଥି ମେଳରେ ଖେଳିବା ଏବଂ ପାଠ ପଢିବାର ବୟସ । ସମାଜ ଠାରୁ ଶିଖିବାର ସମୟ । କିନ୍ତୁ ଏଭଳି କୋଭିଡ ଦୁସ୍ଥିତିରେ ସମାଜକୁ ଶିକ୍ଷା ଦେଇଛି ଏହି କୁନି ବାଳକ ଇଶାନ । ଆଉ ପୁଣି ଥରେ ପ୍ରମାଣିତ କରିଦେଇଛି ‘ସାନ ସିନା ଦାନ ତା ମହାନ’ ।

କୋଭିଡର ପ୍ରାଦୁର୍ଭାବ ଭିତରେ ସରକାର ଜୀବନକୁ ପ୍ରାଧାନ୍ୟ ଦେଇଛନ୍ତି । ତାଲାବନ୍ଦ କରିଛନ୍ତି । ଅନେକ ଦିନ ମଜୁରିଆ, ଶ୍ରମିକ ଏବଂ ଛୋଟ ଛୋଟ ବେପାର ବାଣିଜ୍ୟ କରି ବଞ୍ଚୁଥିବା ଲୋକମାନେ ଜୀବନ ବଞ୍ଚାଇବାକୁ ଜୀବିକାକୁ ପଛ କରିଦେଇଛନ୍ତି । କିନ୍ତୁ ସୁରକ୍ଷା ପ୍ରହରୀ ଆଜି ବି ସୁରକ୍ଷା ଦେଇଛାଲିଛନ୍ତି । ଖରାକୁ ଖାତିର ନକରି ଲୋକଙ୍କ ପାଇଁ ସତର୍କ ଘଣ୍ଟି ସାଜିଛନ୍ତି । ନିଜ ଜୀବନକୁ ପଛରେ ପକାଇ ସାଧାରଣ ଲୋକଟିର ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରିଚାଲିଛନ୍ତି ।

ଯେତେବେଳେ ସମସ୍ତେ ଘରେ ବନ୍ଦୀ, ସେତେବେଳେ ପୋଲିସ ବାହାରେ । ମାନବ ସମାଜକୁ ଭୟଭୀତ କରୁଥିବା ଭୂତାଣୁକୁ ମାତ ଦେବା ପାଇଁ ପୋଲିସର ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ । ପୋଲିସର ଏଭଳି କାର୍ଯ୍ୟ କୁନି ପିଲାଟିକୁ ପ୍ରଭାବିତ କରିଛି । ରଘୁନାଥପୁରର ଛାତ୍ର ଈଶାନ ନାୟକ ସଞ୍ଚିତ କରିଥିବା କିଛି ଟଙ୍କା ପୋଲିସକୁ ଦାନ କରିଛନ୍ତି । ପିଗି ବ୍ୟାଙ୍କକୁ ଭାଙ୍ଗି 43 ହଜାର ଟଙ୍କା କମିସନରେଟ ପୋଲିସକୁ ପ୍ରଦାନ କରିଛନ୍ତି। ଏହି ଟଙ୍କାରେ କିଛି ଏସେନସିଆଲ ସାମଗ୍ରୀ କିଣାଯାଉ ବୋଲି କହିଛନ୍ତି ଛାତ୍ର ଇଶାନ । ସେପଟେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଇଶାନଙ୍କ ସହାୟତାକୁ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି ସାବାସ ଇଶାନ ।

Leave a Reply