୧୦ କିଲୋମିଟର ଚାଲିଚାଲି ଜିଲ୍ଲାପାଳଙ୍କୁ ଭେଟିଲା କୁନି ଝିଅ; ବାପାଙ୍କ ନାଁରେ ଦେଲା ଏତଲା

କେନ୍ଦ୍ରାପଡ଼ା: କୁନି ପାଦରେ ୧୦ କିଲୋମିଟର ରାସ୍ତା  ପାର୍ କରି ୬ଷ୍ଠୀ ଶ୍ରେଣୀର ଛୁଆ ପହଞ୍ଚିଲା ଜିଲ୍ଲାପାଳ ବାବୁଙ୍କ ଦପ୍ତରରେ । ଅଭିଯୋଗ ବଖାଣି ନ୍ୟାୟ ପାଇଁ ଗୁହାରୀ କଲା । ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । କୁନି ଝିଅର ଅଭିଯୋଗ ଅନୁଯାୟୀ, ମଧ୍ୟାହ୍ନ ଭୋଜନ ବାବଦକୁ ସରକାରଙ୍କ ତରଫରୁ ତାଙ୍କୁ ମିଳୁଥିବା ଅର୍ଥରାଶିକୁ ତାଙ୍କ ବାପା ହଡ଼ପ କରି ନେଉଛନ୍ତି । ତାହା ତାଙ୍କ ପ୍ରାପ୍ତ ହୋଇଥିବା ବେଳେ, ବାପା ତାଙ୍କୁ ତାଙ୍କର ଅଧିକାରରୁ ବଞ୍ଚିତ କରୁଛନ୍ତି । ଏପରିକି ତାଙ୍କୁ ମିଳୁଥିବା ଚାଉଳ ମଧ୍ୟ ବାପା ତାଙ୍କୁ ଦେଉନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ କୋଭିଡ୍ କଟକଣା ବେଳେ ସ୍କୁଲ ବନ୍ଦ ଥିଲା ସତ ମାତ୍ର ସରକାର ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥାର ଉତ୍ତରଦାୟିତ୍ୱ ତୁଟାଇନଥିଲେ । ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୈନିକ ୮ ଟଙ୍କା ଓ ୧୫୦ଗ୍ରାମର ଚାଉଳ ଯୋଗାଉଥିଲେ ।

ତେବେ ଦୈନିକ ମିଳୁଥିବା ଟଙ୍କା ପିଲା କିମ୍ୱା ଅଭିଭାବକ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଯାଇପାରିବ । ଅଭିଯୋଗ କରିଥିବା କୁନି ଝିଅର କହିବା କଥା ଯେ ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଥିବା ସତ୍ତ୍ୱେ ମଧ୍ୟ ତାଙ୍କ କୋଟାର ଟଙ୍କା ତାଙ୍କ ବାପାଙ୍କ ଆକାଉଣ୍ଟକୁ ଯାଉଥିଲା । କେବଳ ସେତିକି ନୁହେଁ, ତାଙ୍କ ବଦଳରେ ବାପା ସ୍କୁଲରୁ ଚାଳ ମଧ୍ୟ ସଂଗ୍ରହ କରୁଥିଲେ । ସେ ଏବେ ନିଜ ପିତାଙ୍କ ସହ ରହୁନାହାନ୍ତି, ତେଣୁ ଆଇନତଃ ତାଙ୍କୁ ମିଳିଥିବା ସରକାରୀ ସୁବିଧା ସୁଯୋଗର ହକଦାର ତାଙ୍କ ପିତାଙ୍କ ମାଧ୍ୟମରେ ତାଙ୍କ ପାଖକୁ ଆସିବା ଉଚିତ ନୁହେଁ । ସୂଚନାଯୋଗ୍ୟ ଯେ ଛାତ୍ରୀ ଜଣଙ୍କର ମା ଏବେ ଦୁନିଆରେ ନାହାନ୍ତି । ମା ଚାଲିଯିବା ପରେ ତାଙ୍କ ପିତା ସାନି ବିବାହ କରିଥିଲେ । ଏହାପରଠାରୁ ସେ ନିଜର ଜଣେ ସମ୍ପର୍କୀୟଙ୍କ ପାଖରେ ରହୁଛନ୍ତି ଓ ଉକ୍ତ ସମ୍ପର୍କୀୟ ତାଙ୍କ ଲାଳନ ପାଳନ ଦାୟିତ୍ୱ ନେଇଛନ୍ତି ।

ତେଣୁ ସେ ଚାହାନ୍ତି ଯେ ତାଙ୍କ ପାଇଁ ସବୁ ସୁବିଧା ସୁଯୋଗ ତାଙ୍କୁ ହିଁ ମିଳୁ । ତେବେ ଅଭିଯୋଗ ଆସିବାର ତୁରନ୍ତ ପରେ ହିଁ ଜିଲ୍ଲାପାଳ ସମର୍ଥ ବର୍ମା ସକ୍ରିୟ ଭାବେ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଣିକି ତାଙ୍କୁ ମିଳୁଥିବା ଆର୍ଥିକ ରାଶି ସିଧାସଳଖ ଭାବେ ଛାତ୍ରୀଙ୍କର ବ୍ୟାଙ୍କ ଆକାଉଣ୍ଟ ଯିବା ନେଇ ନିର୍ଦ୍ଦେଶ ଦେଇଥିବା ବେଳଏ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କେବଳ ଛାତ୍ରୀଙ୍କ ଅନୁମତି ପରେ ହିଁ ତାଙ୍କ କୋଟାର ଚାଉଳ ପ୍ରଦାନ କରାଯାଉ । ତେବେ ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

Leave a Reply