ବିଜେପି ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ବାଡ଼ିଆପିଟା

ନନ୍ଦିଘୋଷ ବ୍ୟୁରୋ: ହାଟରେ ପଡି ଦାଣ୍ଡରେ ଗଡୁଛି ବିଜେପି କନ୍ଦଳ । ଆଜି ପୁଣି କେନ୍ଦୁଝର ବଡ଼ବିଲରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ମାରପିଟ୍ ହୋଇଛନ୍ତି । ଟାଉନ ହଲରେ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ସକ୍ରିୟ ସଦସ୍ୟ ସମ୍ମିଳନୀ ଆରମ୍ଭ ସମୟରେ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଉତ୍ତ୍ୟକ୍ତ କର୍ମୀ ଚେୟାର, ଫୁଲକୁଣ୍ଡ ଭଙ୍ଗା ରୁଜ୍ଜା କରିବା ସହ ହାତାହାତି ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଏକାଧିକ କର୍ମୀ ଓ ପଦାଧିକାରୀ ଆହତ ହୋଇଥିବ ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି ।
ସଭା ଆରମ୍ଭରୁ ଏଭଳି ପରିସ୍ଥିତି ଉପୁଜିଥିଲା । କେନ୍ଦୁଝର ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର ମଞ୍ଚ ଉପରେ ମାଇକ ଧରି କିଛି କହିବା ବେଳେ, ଗୋଟିଏ ଗୋଷ୍ଠୀର କର୍ମୀ ଓ କିଛି ପଦାଧିକାରୀ ତାଙ୍କୁ ବିରୋଧ କରିବା ସହ ସଭା ଗୃହରୁ ବାହାରି ଆସିଥିଲେ । ଏମିତିରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ନିଜେ ବାହାରକୁ ଆସି ବୁଝାସୁଝା ପାଇଁ ଚେଷ୍ଟା କରୁଥିଲେ । ତେବେ ଏହି ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହେବା ସହ ଠେଲାପେଲା ହୋଇଥିଲା । ଏହାପରେ ମାରପିଟରେ ପରିଣତ ହୋଇଥିଲା ସଭା ସ୍ଥଳ ।
ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଝରଣା ମହାନ୍ତ, ରାଜ୍ୟ ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦଙ୍କ ବିରୋଧରେ ଆଣିଛନ୍ତି ସଂଘାତିକ ଅଭିଯୋଗ । ଚନ୍ଦ୍ରଗୁପ୍ତ ଗୁଣ୍ଡା ଶ୍ରେଣୀର ପିଲାଙ୍କୁ ଆଣି ଗଣ୍ଡଗୋଳ କରିବା ସହିତ ତାଙ୍କୁ ଓ ଅନ୍ୟମାନଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଗଣ୍ଡଗୋଳ ସମୟର ଭିଡ଼ିଓରେ ଚନ୍ଦ୍ରଗୁପ୍ତ ପ୍ରସାଦ ଉପସ୍ଥିତ ରହିଥିଲେ ମଧ୍ୟ ବାହାରେ କ’ଣ ଘଟିଛି ମୁଁ ଜାଣିନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଦଳରେ ଗୋଷ୍ଠୀ କନ୍ଦଳ ଥାଏ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପିର କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ।