ଗୌହାଟିରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ମିଳିଲାନି ଅନୁମତି ; ବ୍ୟାରିକେଡ୍ ଭାଙ୍ଗିଲେ ସମର୍ଥକ

ନନ୍ଦିଘୋଷ ବ୍ୟୁରୋ : ଗୌହାଟିରେ ରାହୁଲଙ୍କ ଗର୍ଜନ । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେଲେ ୫ ହଜାରରୁ ଅଧିକ କର୍ମୀ ଓ ସମର୍ଥକ । ଗୌହାଟି ଦେଇ ଯାଉଛି ଏହି ନ୍ୟାୟ ଯାତ୍ରା। ତେବେ ରାହୁଲଙ୍କ ଏହି ଯାତ୍ରାକୁ ଗୌହାଟି ସହର ମଧ୍ୟ ଦେଇ ଯିବାକୁ ଅନୁମତି ଦେଇନଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସରକାର । ଏହାକୁ ନେଇ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା ।

କଂଗ୍ରେସ କର୍ମୀ ଓ ସମର୍ଥକ ଗୌହାଟି ସହର ମଧ୍ୟ ଦେଇ ଯିବାକୁ ଜିଦ୍ ଧରି ବସିଥିଲେ । ପୋଲିସ ଲଗାଇଥିବା ବ୍ୟାରିକେଡକୁ ଭାଂଗିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ଏହାକୁ ନେଇ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖାଦେଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏହି ଯାତ୍ରା ମେଘାଳୟ ଦେଇ ପୁଣି ଆସାମ ଭିତରକୁ ପ୍ରବେଶ କରୁଥିଲା । ତେବେ ରାହୁଲଙ୍କ ଯାତ୍ରାକୁ ଗୌହାଟିର ମୁଖ୍ୟ ସଡ଼କ ଦେଇ ଯିବାକୁ ଅନୁମତି ଦେଇନଥିଲେ ସେଠାକାର ସରକାର ।

ରାହୁଲଙ୍କ ଯାତ୍ରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ଅନେକ ନେତା । ଗତକାଲି ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାବେଳେ ଆସାମରେ ସନ୍ଥ ଶଙ୍କରଦେବଙ୍କ ମନ୍ଦିରକୁ ଯିବାକୁ ଆସାମ ସରକାର ଅନୁମତି ଦେଇନଥିଲେ ।ଏହାକୁ ନେଇ ଗତକାଲି ମଧ୍ୟ ଅସ୍ଥିରତା ସୃଷ୍ଟି ହୋଇଥିଲା ।