ଆଜି ସିଜେପିର ‘ତ୍ରିରଙ୍ଗା ମାର୍ଚ୍ଚ’, ବନ୍ଦ ରହିବ ସେଣ୍ଟ୍ରାଲ ପାର୍କ
ନନ୍ଦିଘୋଷ ବ୍ୟୁରୋ: ଆଜି ଦିଲ୍ଲୀ କନ୍ନଟ ପ୍ଲେସରେ ତ୍ରିରଙ୍ଗା ମାର୍ଚ୍ଚ କରିବ କକରୋଚ୍ ଜନତା ପାର୍ଟି l ତେବେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସେଣ୍ଟ୍ରାଲ ପାର୍କକୁ ବନ୍ଦ କରାଯାଇଛି। ଆନ୍ଦୋଳନଠାରୁ ଦୂରରେ ରହିବାକୁ ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛି ପୋଲିସ । ଏହା ସହ ଜାତୀୟ ପତାକା ଧରି ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ଉପଯୁକ୍ତ ସ୍ଥାନରେ କେବଳ ୧୧ ଜଣଙ୍କୁ ସୁଯୋଗ ଦିଆଯିବ ବୋଲି ପୋଲିସ କହିଛି। ସିଜେପି ଆନ୍ଦୋଳନ ବନ୍ଦ ଲାଗି ଏକ ପିଟିସନର ଶୁଣାଣି କରି ଏହାକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଉପଯୁକ୍ତ ପଦକ୍ଷେପ ନେବାକୁ କୋର୍ଟର ନିର୍ଦ୍ଦେଶ ପରେ ପୋଲିସ ଏହି ନିଷ୍ପତ୍ତି ନେଇଛି । ବେଆଇନ ଗିରଫଦାରୀ ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏହି ଅଭିଯାନ ହେବ l ଅଧିକରୁ ଅଧିକ ଲୋକ ଏଥିରେ ସାମିଲ ହେବା ନେଇ ଅଭିଜିତ ଦୀପକେ ଆହ୍ବାନ ଦେଇଛନ୍ତି l
ପୂର୍ବରୁ ଯନ୍ତର ମନ୍ତରରେ ପତାକା ଉଡ଼ାଇବା ଘଟଣାରେ ଗିରଫ ହୋଇଥିଲେ ସିଜେପିର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା l ୫ ଦିନିଆ ବିଚାର ବିଭାଗୀୟ ହେପାଜତ ଅବଧି କ୍ରମେ ଉଭୟ ସୌରଭ ଓ ରାଙ୍କା ତିହାର ଜେଲରେ ଅଛନ୍ତି l ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଦୀପକେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବା ସହ ତ୍ରିରଙ୍ଗା ଉଡ଼ାଇବା ଅପରାଧ ନୁହେଁ ବୋଲି କହିଥିଲେ l ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସରକାର ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏପଟେ ନୂଆଦିଲ୍ଲୀ ପୌର ପରିଷଦ ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଅକ୍ଟୋବର ୧୬ ରୁ ୧୭ ତାରିଖରେ ସାଧାରଣ ଜନତାଙ୍କ ପାଇଁ ସେଣ୍ଟ୍ରାଲ ପାର୍କ ବନ୍ଦ ରଖିବାକୁ ନୋଟିସ ଜାରି କରିଛି ।

