ବଡ଼ ରାୟ ପୂର୍ବରୁ ବଡ଼ ଅଧିକାରୀଙ୍କୁ ଭେଟିବେ ବଡ଼ କୋର୍ଟର ମୁଖ୍ୟ ବିଚାରପତି

1 min read

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ଉତ୍ତର ପ୍ରଦେଶର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଏଥିରେ ଆଲୋଚନା ହୋଇପାରେ । ୟୁପିର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିଓ୍ବାରୀ ଓ ଡିଜିପି ଓମ୍ ପ୍ରକାଶ ସିଂଙ୍କୁ ସିଜେଆଇ ସାକ୍ଷାତ କରିବା ନେଇ ସୂଚନା ରହିଛି । ଆସନ୍ତା ସପ୍ତାହରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଆସିବାର ଅଛି । ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରୁଛନ୍ତି ସିଜେଆଇ ରଂଜନ ଗୋଗୋଇ । ତେବେ ଏବାପୂର୍ବରୁ ଅର୍ଥାତ୍ ନଭେମ୍ବର ୧୫ ପୂର୍ବରୁ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ

ଗତ ୪୦ ଦିନ ଧରି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ସବୁ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କୁ ରାୟ ସଂପର୍କରେ କୌଣସି ମନ୍ତବ୍ୟ ନଦେବାକୁ ସିଧାସଳଖ ମନାକରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଗତକାଲି ଉତ୍ତରପ୍ରେଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଘଣ୍ଟାରୁ ଅଧିକ ସମୟ ଧରି ରାଜ୍ୟର ପୋଲିସ ଅଧିକାରୀଙ୍କ ସହ ସୁରକ୍ଷା ପ୍ରସଙ୍ଗରେ ବୈଠକ କରିଛନ୍ତି । ଲକ୍ଷ୍ନୌ ଓ ଅଯୋଧ୍ୟାରେ ୨ଟି ହେଲିକପ୍ଟରକୁ ଷ୍ଟାଣ୍ଡବାଏରେ ରଖାଯାଇଛି । ଯେକୌଣସି ଅପ୍ରିତିକର ପରିସ୍ଥିତିର ମୁକାବିଲା କରିବାକୁ ଏହି ହେଲିକପ୍ଟର ୨ଟିକୁ ନିୟୋଜିତ କରାଯିବ ।

ଉତ୍ତର ପ୍ରଦେଶର ସମ୍ୱେଦନଶୀଳ ଗାଁକୁ ଯାଇ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆ ଏବଂ ହ୍ୱାଟ୍ସଆପ୍ ଗ୍ରୁପ୍ ଉପରେ ନଜର ରଖିବାକୁ ପୋଲିସର ସାଇବର ସେଲକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ସୁରକ୍ଷା ଆଇନ ଅନୁସାରେ ବିବାଦ ସୃଷ୍ଟି କରୁଥିବା ବ୍ୟକ୍ତି କିମ୍ୱା ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଡ଼ା ସୂଚନା ଦିଆଯାଇଛି ।

୧୯୮୦ରୁ ଅଯୋଧ୍ୟାର ୨.୭୭ ଏକର ଜମିକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଛି । ତେତେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଉଭୟ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୀର୍ଘ ୯ ବର୍ଷ ଧରି କୋର୍ଟରେ ମାମଲା ଚାଲିବା ପରେ ଆସନ୍ତା ସପ୍ତାହରେ ଏହାର ରାୟ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି । ')}

Leave a Reply