ଏମରଜେନ୍ସି ପାଇଁ ସିଭିଲ ଡିଫେନ୍ସର ଟ୍ରେନିଂ

1 min read

ଭୁବନେଶ୍ବର : ଏମରଜେନ୍ସି ପାଇଁ ସିଭିଲ ଡିଫେନ୍ସର ଟ୍ରେନିଂ । ଡେମୋ ବେଳେ ପ୍ରଦର୍ଶିତ ହେଲା ବଞ୍ଚିବାର କଳା । ଏହି ଚିତ୍ର ଦେଖିଲେ ଯୁଦ୍ଧ ପୂର୍ବର ମକଡ୍ରିଲ କଥା ମନେ ପଡୁଥିବ । କିନ୍ତୁ ଚାଲିଛି ସିଭିଲ ଡିଫେନ୍ସର ତାଲିମ । ଯୁଦ୍ଧ ଭଳି ସ୍ଥିତି ଉପୁଜିଲେ ବେସାମରିକ ପ୍ରତିରକ୍ଷା ବାହିନୀ କିଭଳି ସାଧାରଣ ଜନତାଙ୍କ ରକ୍ଷା କରିପାରିବ, ସେ ନେଇ ହୋଇଛି ମକଡ୍ରିଲ । ଜରୁରିକାଳୀନ ପରିସ୍ଥିତି ଉପୁଜିଲେ ସଚେତନତା ଓ ସୁରକ୍ଷା ଦିଗରେ ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟରଙ୍କ କାର୍ଯ୍ୟକଳାପ କିପରି ରହିବ ସେ ନେଇ ତାଲିମ ଦିଆଯାଇଥିଲା । ମୁଖ୍ୟତଃ ଯୁଦ୍ଧ ସମୟରେ ଶତ୍ରୁପକ୍ଷର ବିମାନ ଓ ଡ୍ରୋନ ଆକ୍ରମଣରେ ସାଧାରଣ ଜନତାଙ୍କ ଜନଜୀବନର ସୁରକ୍ଷା ଓ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ୬ ଦିନିଆ କର୍ମଶାଳାକୁ ଅଗ୍ନିଶମ ଓ ବେସାମରିକ ପ୍ରତିରକ୍ଷା ବାହିନୀର ନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ ଉଦଘାଟନ କରିଥିବା ବେଳେ ଡ଼ିଆଇଜି ଉମାଶଙ୍କର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଯୁଦ୍ଧ ସମୟରେ ମାନସିକ ସ୍ତରରେ କ୍ଷତିଗସ୍ତଙ୍କୁ ସାହାଯ୍ୟ, ପ୍ରାଥମିକ ଚିକିତ୍ସା, ମୃତ ଶରୀରର ସୁରକ୍ଷା ଓ ଉଦ୍ଧାର, ରିଲିଫ ସହ ଯୁଦ୍ଧ ସତର୍କବାଣୀ ପ୍ରଣାଳୀ ସମ୍ପର୍କରେ ଅବଗତ କରାଯାଇଥିଲା । ଏହାସହ ବିସ୍ଫୋରକର ଅନୁସନ୍ଧାନ, ଜଳର ବିଶୁଦ୍ଧିକରଣ, ମହିଳା ଓ ଶିଶୁଙ୍କ କିଭଳି ସୁରକ୍ଷା କରାଯିବ ସେ ନେଇ ଦେଖାଯାଇଥିଲା ଡେମୋ ।

ବରମୁଣ୍ଡା ଓଡିଶା ଅଗ୍ନିଶମ ଗ୍ରାଉଣ୍ଡରେ NDRF ପକ୍ଷରୁ ଏହି ଡେମୋ ଦେଖାଯାଇଥିଲା । ଗତମାସ ୭ ତାରିଖରେ ଅପରେସନ ସିନ୍ଦୂର ପୂର୍ବରୁ ରାଜମହଲ ଛକରେ ଦେଖାଯାଇଥିଲା ଡେମୋ । ସିଭିଲ ଡିଫେନ୍ସ ପକ୍ଷରୁ କୌଣସି ପରିସ୍ଥିତିରେ ଶତ୍ରୁପକ୍ଷ ଆକ୍ରମଣରୁ ଜୀବନ ରକ୍ଷା ଲାଗି ଦିଆଯାଇଥିଲା ତାଲିମ । ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ହୋଇଥିଲା ମକ୍ଡ୍ରିଲ୍ । ପ୍ରଥମ ଦିନରେ ଶତ୍ରୁପକ୍ଷରୁ ଆକାଶମାର୍ଗରୁ ବୋମା ବର୍ଷଣ ହେଲେ କିପରି ଆତ୍ମରକ୍ଷା କରିବେ ତାହାର ମକ୍ଡ୍ରିଲ୍ କରାଯାଇଥିଲା। ପ୍ରାୟ ୧୫ ଶହ ସ୍ବେଛାସେବୀ ଏବେ କାର୍ଯ୍ୟରତ ଥିବା ବେଳେ ଏହି ସଂଖ୍ୟାକୁ ୧୦ ହଜାର ରେ ପହଞ୍ଚାଇବା ପାଇଁ ତାଲିମ ଶିବିରରେ ଗୁରୁତ୍ୱାରୋପ ହୋଇଥିଲା । ଏହାସହ ସ୍ୱେଚ୍ଛାସେବୀଙ୍କୁ ମିଳୁଥିବା ଦୈନିକ ଭତ୍ତାରେ ବୃଦ୍ଧି କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।