ନାଗରିକତ୍ୱ ସଂଶୋଧନ ବିଲ୍ ୨୦୧୯ ପାସ୍‌: କଳାଦିନ କହିଲେ ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍‌ ୨୦୧୯ । ବିଲ୍ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୧୦୫ ଭୋଟ୍‌ । ଗତ କାଲି ଲୋକସଭାରେ ପାରିତ ହୋଇଥିଲା ବିଲ୍‌ ।

ଗତ ଲୋକସଭାରେ ବିଲ୍‌ ପାସ୍ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଥିଲା ନାଗରିକତ୍ୱ ସଂଶୋଧନ ବିଲ୍ ୨୦୧୯ । ମଧ୍ୟାହ୍ନ ୧୨ ଟାରେ ରାଜ୍ୟସଭାରେ ବିଲ୍‌ ଉପସ୍ଥାପାନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା । ଏହା ପରେ ବିଲ୍‌ ଉପରେ ଦୀର୍ଘ ୮ ଘଣ୍ଟା ଧରି ବିତର୍କ ହୋଇଥିଲା ।  ଅପରପକ୍ଷରେ ଗତକାଲି ଲୋକସଭାରେ ବିଲ୍‌କୁ ସମର୍ଥନ କରିଥିବା ଶିବସେନା ଆଜି ରାଜ୍ୟସଭାରେ ନିଜକୁ ଭୋଟିଂ ପ୍ରକ୍ରିୟାରୁ ଦୁରେଇ ରଖିଥିଲା ।

ବିଲ୍ ପାସ୍‌ ନେଇ ହୋଇଥିବା ଭୋଟିଂ ପ୍ରକ୍ରିୟାରେ ମୋଟ ୨୩୦ ଜଣ ସଦସ୍ୟ ଭୋଟିଂ କରିଥିଲେ । ୧୨୫ ଜଣ ବିଲ୍‌ ସପକ୍ଷରେ ଭୋଟ କରିଥିବା ବେଳେ ୧୦୫ ଜଣ ବିଲ୍‌ ବିପକ୍ଷରେ ଭୋଟିଂ କରିଥିଲେ । ଏବେ ସଂସଦର ଉଭୟ ଗୃହରେ ବିଲ୍‌କୁ ମଞ୍ଜରୀ ମିଳିସାରିଛି । ଏହାପରେ ବିଧେୟକକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ନେଇ ପଠାଯିବା । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଏହା ଆଇନରେ ପରିଣତ ହେବ ।

ଅମିତ୍ ଶାହା ବିଲ୍ ଆଗତ କରି କହିଛନ୍ତି, ସେ ଗୃହରେ ଐତିହାସିକ ବିଲ୍‌ ଉପସ୍ଥାପନ କରିବାକୁ ଆସିଛନ୍ତି । ଏହି ବିଲ୍‌ରେ ଥିବା ପ୍ରାବଧାନ ଅନୁଯାୟୀ ଲକ୍ଷ ଲକ୍ଷ ଲୋକେ ଉପକୃତ ହେବେ । ଅଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରୁ ଆସି ରହୁଥିବା ଅଳ୍ପ ସଂଖ୍ୟକଙ୍କୁ ସେମାନଙ୍କ ଅଧିକାର ମିଳିପାରିବ । ସେମାନଙ୍କୁ ସେମାନଙ୍କ ଦେଶରେ ସମାନତା ଅଧିକାର ନମିଳିଥିବାରୁ ସେମାନେ ଭାରତକୁ ଆସିଛନ୍ତି । ପାକିସ୍ତାନରେ ପୂର୍ବରୁ ୨୦% ଅଳ୍ପ ସଂଖ୍ୟକ ରହୁଥିବା ବେଳେ ଏବେ ୩% ରହିଛନ୍ତି । ଏହି ବିଲ୍‌ ଜରିଆରେ ହିନ୍ଦୁ, ଜେନୖ, ଶିଖ୍‌, ଇସାଇ, ପାରସି ଶରଣାର୍ଥୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ।

ବିଲ୍ ପାସ୍‌ ହୋଇଥିବାରୁ ଟ୍ୱିଟ୍‌ କରି ଖୁସି ବ୍ୟକ୍ତ କରିବା ସହ ସମର୍ଥନ କରିଥିବା ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦେଶ ପାଇଁ ଲ୍ୟାଣ୍ଡ୍‌ମାର୍କ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପକ୍ଷରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହାକୁ ଭାରତୀୟ ସମ୍ୱିଧାନ ଇତିହାସର କଳାଦିନ ବୋଲି କହିଛନ୍ତି ।

 

Leave a Reply