ଦୀର୍ଘ ବର୍ଷ ପରେ କଟକକୁ ଫେରିଛି ସର୍କସ, ଦେଖିବା ପାଇଁ ଲାଗୁଛି ଭିଡ଼

କଟକ: ଜିମ୍ନାଷ୍ଟିକ ସାଙ୍ଗକୁ ରସିଆନ ରିଂ ଡ୍ୟାନ୍ସ । ମଣିପୁରୀ ଆକ୍ରୋବାଟ ସାଙ୍ଗକୁ ଜୋକର ଶୋ । ୨୫ରୁ ଅଧିକ ପ୍ରକାର ଖେଳ ନେଇ କଟକରେ ଆରମ୍ଭ ହୋଇଛି ଏନ.କେ. ରୋଲେକ୍ସ ସର୍କସ । ବାଲିଯାତ୍ରା ଉପର ପଡ଼ିଆରେ ଦୈନିକ ୩ଟି ଶୋ’ ସହ କଳା ଦେଖାଉଛନ୍ତି ସର୍କସର କଳାକାର । ମଣିପୁର, ଆସାମ ଓ ନେପାଳର ବିଭିନ୍ନ କଳାକାର ଦର୍ଶକଙ୍କ ମନୋରଞ୍ଜନ କରିବା ସହ ବାଇକ ଶୋ ରହିଛି ସର୍କସର ମୁଖ୍ୟ ଆକର୍ଷଣ । ୩୫ ଦିନ ଧରି ଚାଲିବାକୁ ଥିବା ବେଳେ ଟିକେଟର ମୂଲ୍ୟ ୧୦୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି ବୋଲି କହିଛନ୍ତି ସର୍କସର ମ୍ୟାନେଜର ।

ଡିଜିଟାଲ ଯୁଗରେ ବି ସର୍କସର ରହିଛି ଲୋକପ୍ରିୟତା । ପଶୁପକ୍ଷୀ, ଜୀବଜନ୍ତୁ ସିନା ନାହାନ୍ତି, ତଥାପି ଭିନ୍ନ ଭିନ୍ନ କଳା କୌଶଳ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ସର୍କସର କଳାକାର । ଖାସ୍ କରି ଛୋଟପିଲାଙ୍କ ପାଇଁ ଜୋକରମାନେ ସାଜିଛନ୍ତି ମୁଖ୍ୟ ଆକର୍ଷଣ । ପ୍ରଥମକରି ସର୍କସ ଦେଖୁଥିବାରୁ ପିଲାଏ ବି ବେଶ ଖୁସ୍ । ଏକମାସ ଧରି ଚାଲିବାକୁ ଥିବା ରୋଲେକ୍ସ ସର୍କସକୁ ଉଦଘାଟନ କରିଥିଲେ କଟକ ମେୟର ସୁବାସ ସିଂ ଓ କ୍ରୀଡା ସଂଗଠକ ଆଶୀର୍ବାଦ ବେହେରା ।