ନୂଆ ରୂପ ପାଇବ ଐତିହାସିକ ଚୁରା ପାହାଡ଼, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କଳାହାଣ୍ଡି: ରାଜ୍ୟ ସରକାରଙ୍କ ଉଦ୍ୟମରେ ନୂଆ ବର୍ଷରେ ନୂଆ ରୂପ ପାଇବ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଚୁରା ପାହାଡ ଗଦଲା ଝରଣ । ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳୀର ଉନ୍ନତ୍ତିକରଣ ପାଇଁ ରାଜ୍ୟ ସରକାର ଏବଂ ପଞ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଛି ୧ କୋଟି ୫୦ ଲକ୍ଷ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

ସବୁଜ ବନାନୀ ଭିତରେ ଚମକିବ ଚୁରା ପାହାଡ । ଲୋକଙ୍କୁ ଅଧିକ ଆକର୍ଷିତ କରିବ ପର୍ଯ୍ୟଟନସ୍ଥଳୀ । ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳୀର ଉନ୍ନତ୍ତିକରଣ ପାଇଁ ରାଜ୍ୟ ସରକାର ଏବଂ ପଞ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଛି ୧ କୋଟି ୫୦ ଲକ୍ଷ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଚୁରା ସଂରକ୍ଷିତ ଜଙ୍ଗଲ । ଏହି ଚିର ହରିତ ଜଙ୍ଗଲ ମଧ୍ୟରେ ରହିଛି ପୂରାତନ ବାବା ଧବଳେଶ୍ବରଙ୍କ ଶୈବ ପୀଠ । ପବିତ୍ର ଶ୍ରାବଣ ମାସ ସାଙ୍ଗକୁ ବର୍ଷର ବିଭିନ୍ନ ସମୟରେ ଏହି ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଜମିଥାଏ । ଭିଡକୁ ଦୃଷ୍ଟିରେ ରଖି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।

ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଏହି ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ରହିଛି ଦୁଇଟି ଶୈବ ପୀଠ, ଝରଣା, ସୀତା କୁଣ୍ଡ ସାଙ୍ଗକୁ ଅନନ୍ୟ ସରୋବର ଓ ପାହାଡ ଗୁମ୍ଫା । ପୂର୍ବରୁ ଏହି ଦର୍ଶନୀୟ ସ୍ଥାନକୁ ଯିବା ପାଇଁ ଭଲ ରାସ୍ତା ଟିଏ ନଥିଲା । ଏବେ କିନ୍ତୁ ରାଜ୍ୟ ସରକାରଙ୍କ ଉଦ୍ୟମରେ ପୂରା ଅଞ୍ଚଳ ଚକାଚକ । ରାସ୍ତା, ବିଜୁଳି ଓ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି । ଏନେଇ ପର୍ଯ୍ୟଟନସ୍ଥଳୀରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।