ଆସୁଛି ବଡ଼ଦିନ: ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବାକୁ ସବୁଠି ପ୍ରସ୍ତୁତି

କଟକ: ପାଖେଇ ଆସିଲାଣି ବଡ଼ଦିନ । ଖ୍ରୀଷ୍ଟମାସ ପାଇଁ ଚଳଚଞ୍ଚଳ ଗିର୍ଜାଘର । ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବାକୁ ସବୁଠି ପ୍ରସ୍ତୁତି । ଚଳିତବର୍ଷ ବେଶ ଧୁମଧାମରେ କଟକରେ ପାଳନ ହେବ ଖ୍ରୀଷ୍ଟମାସ । ଖ୍ରୀଷ୍ଟିଆନ ଭାଇଭଉଣୀଙ୍କ ଘରେ ଘରେ ଜମିର ଉତ୍ସବର ମାହୋଲ । ଦୋକାନୀମାନେ ସାଜସଜ୍ଜା ପାଇଁ ନିଜର ପସରା ମେଲାଇଲେଣି । ଖ୍ରୀଷ୍ଟମାସ ଟ୍ରି, ବେଲୁନ, ବେଲ୍, କେକ୍, କ୍ୟାଣ୍ଡେଲ, ଟୋପି ଓ ସାନ୍ତାକ୍ଲସ ପୋଷାକ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି ।

ଶିଶୁ ଯୀଶୁଙ୍କ ଆଗମନ ପାଇଁ ସବୁଠି ପ୍ରସ୍ତୁତି । ଘର ଠାରୁ ଚର୍ଚ୍ଚ ସବୁ ଆଲୋକରେ ଝଟକିବ । ଏଥିପାଇଁ ବଜାରରେ ଏବେ ନାନା ସାଜସଜ୍ଜା ସାମଗ୍ରୀ । କଟକ ମିଶନ ରୋଡ଼ରେ ଖୋଲିଛି ଭଳିକି ଭଳି ଖ୍ରୀଷ୍ଟମାସ ସାଜସଜ୍ଜା ଦୋକାନ । ଚଳିତବର୍ଷ ଗୋଆରୁ ଆସିଥିବା ସ୍ନୋ ଟ୍ରି ସମସ୍ତଙ୍କ ଆକର୍ଷଣ ସାଜିଛି । ଯାହାର ମୂଲ୍ୟ ରହିଛି ୧୦ ହଜାର ଟଙ୍କା । ସେହିପରି ଡେକୋରେସନ ବକ୍ସ ୪୪୯ ଟଙ୍କା, ମ୍ୟୁଜିକାଲ ଶାନ୍ତା ଟୟ ମୂଲ୍ୟ ଶହେରୁ ରୁ ୧୨ଶହ ରହିଛି । ହେୟାର ବ୍ୟାଣ୍ଡ ଏବଂ ଚଷମା ଦାମ  ୮୦ରୁ ୧୫୦, ହ୍ୟାଙ୍ଗିଙ୍ଗ ବେଲ୍ ୧୮୦ରୁ ୨୫ ଶହ ଟଙ୍କା, ସନ୍ତା ଡ୍ରେସ୍ ୧୮୦ରୁ ୬୫୦, ସାନ୍ତା ଫେସ ମାସ୍କ ୫୦ରୁ ୭୦, ବେଲ୍ ୩୦ରୁ ୮୦ ଟଙ୍କା, ଷ୍ଟାର ୪୦ରୁ ୮୦, ଡ୍ରମ ୫୦ରୁ ୧୨୦ ଟଙ୍କା, ରେନ ଡିଅର, ଲାଇଟ ଟ୍ରି ୫ ଶହରୁ ୧୫ ଶହ ଟଙ୍କାରେ ବିକ୍ରି ହେଉଛି ।

ଚଳିତବର୍ଷ ବେଶ୍ ଧୁମଧାମରେ ପାଳନ ହେବାକୁ ଯାଉଛି ବଡ଼ଦିନ । ସେଥିପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ବଡ଼ଦିନରୁ ଘର ସଜାଇବା ସହ ସ୍କୁଲ ପିଲାଙ୍କ ପ୍ରୋଜେକ୍ଟ ପାଇଁ ଛୋଟରୁ ବଡ ସଭିଏଁ ନିଜ ନିଜ ମନପସନ୍ଦର ଜିନିଷ କିଣିବାରେ ଲାଗିଛନ୍ତି ।