ଚୌଦ୍ଵାର ଜେଲରୁ ୨ କଏଦୀ ଫେରାର ଘଟଣା: ଜେଲ ସୁରକ୍ଷା ନେଇ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ସବୁଠାରୁ ସୁରକ୍ଷିତ ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କ ପତ୍ତା ଏଯାଏଁ ମିଳିନାହିଁ । ୪୮ ଘଣ୍ଟା ପରେ ବି ପୋଲିସର ହାତ ଖାଲି । ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଉଦ୍ୟମ ବେଳେ ଦୁଇ ଜଣଙ୍କୁ ହତ୍ୟା କରି ଫେରାର ହେଉଥିବା ୨ ବିହାରୀ କାୟତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସରେ ଜିମା ଦେଇଥିଲେ । ଜାନୁଆରୀ ମାସରେ ଘଟିଥିବା ଘଟଣା ଏବେ ବି ରହସ୍ୟ ଘେରରେ ଥିବା ବେଳେ ଏବେ ଦୁଇ ଅପରାଧି ଜେଲ ପାଚେରୀ ଡେଇଁ ଫେରାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫେରାର ଅପରାଧୀକୁ ନେଇ ପାଣିକୋଇଲି ଅଞ୍ଚଳରେ ଭୟର ବାତାବରଣ ଥିବାବେଳେ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଆଇନ ମନ୍ତ୍ରୀ କହିଛନ୍ତି ଫେରାର କଏଦୀଙ୍କୁ ଧରିବା ପାଇଁ ଚାଲିଛି ଉଦ୍ୟମ ।

୨୦୨୫ ଜାନୁଆରୀ ୪ରେ ସୁନା ଦୋକାନରୁ ଦ୍ବିପ୍ରହରରେ ଲୁଟ ଉଦ୍ୟମ । ୪ ବିହାରୀ ଅପରାଧିଙ୍କ ଲୁଟ ଉଦ୍ୟମକୁ ବିଫଳ କଲେ ସ୍ଥାନୀୟ ଲୋକେ । ଲୋକଙ୍କ ଭିଡ଼ରୁ ବର୍ତ୍ତିବା ପାଇଁ ଅପରାଧି ଗୁଳି ଚଳାଇ ଦୁଇ ଜଣ ନୀରିହ ଲୋକଙ୍କ ଜୀବନ ନେଲେ । ନୀଳମାଧବ ପଣ୍ଡା ଓ ଅନିଲ ରାୟ ଦୁଇ ସ୍ଥାନୀୟ ଯୁବକଙ୍କୁ ହତ୍ୟା କରି ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ୨ ଅପରାଧୀ । ଲୋକଙ୍କ କବଳରୁ ପୋଲିସ ଅପରାଧିଙ୍କୁ ମୁକୁଳାଇ ଜେଲ୍ ପଠାଇଥିଲା । ଲୋକେ ଆଶ୍ବସ୍ତ ହୋଇଥିଲେ । ହେଲେ ଘଟଣାର ୯ ମାସ ପରେ ଗତ ୩ ତାରିଖରେ ରାଜ୍ୟର ସବୁଠାରୁ ସୁରକ୍ଷିତ ଚୌଦ୍ବାର ଜେଲରୁ ଫେରାର ହେବାରେ ସକ୍ଷମ ହେଲେ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ । କଡ଼ା ପହରା ସତ୍ତ୍ବେ ଲୁହା ରଡ଼ କାଟି କମ୍ବଳ ଜରିଆରେ ପାଚେରୀ ଡ଼େଇଁ ଦୁଇ ବିହାରୀ ଅପରାଧି ଫେରାର ହେବା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଭୟାବହ । ଫେରାର ଅପରାଧିଙ୍କୁ ନେଇ ପାଣିକୋଇଲି ଅଞ୍ଚଳରେ ଭୟର ବାତାବରଣ । ପୋଲିସକୁ ସମାଲୋଚନା କରିବା ସହ ଜେଲ ଫେରନ୍ତାଙ୍କ ଆଗାମୀ ପଦକ୍ଷେପକୁ ନେଇ ଚିନ୍ତାରେ ଲୋକେ ।

ପୋଲିସ SI ପରୀକ୍ଷା ସ୍କାମରେ ଓଡ଼ିଶା ପୋଲିସ ମୁଣ୍ଡ ତଳକୁ ହୋଇଥିବା ବେଳେ ଚୌଦ୍ବାରରୁ ଦୁଇ କଏଦୀ ଫେରାର ହେବା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ୧୫ ମାସ ମଧ୍ୟରେ ନାରୀ ନିର୍ଯାତନା ଶିଖର ଛୁଇଁଲାଣି । ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେଲାଣି । ଲୋକଙ୍କ ସରକାର ଉତ୍ସବ ମନାଇବାରେ ବ୍ୟସ୍ତ ଥିବା ବେଳେ ପୋଲିସ ଉପରୁ ଅପରାଧୀଙ୍କ ଭୟ ତୁଟିଲାଣି। କେବଳ ଫମ୍ପା ସ୍ଲୋଗାନ, ମିଛ ପ୍ରତିଶୃତି ଦେଇ ସରକାର ରାଜ୍ୟବାସୀଙ୍କୁ ଭକୁଆ ବନାଉଛି ବୋଲି ବିଜେଡ଼ି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି, ଜେଲ ଡ଼ିଜିଙ୍କ ନିର୍ଦ୍ଦେଶରେ କେନ୍ଦ୍ରାଞ୍ଚଳ ଡ଼ିଆଇଜି ଘଟଣାର ତଦନ୍ତ କରୁଛନ୍ତି । ଖୁବଶୀଘ୍ର ଦୁଇ ଅଭିଯୁକ୍ତ ଧରାପଡ଼ିବେ ।

ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଜେଲରୁ ଫେରାର ଘଟଣାକୁ ୨ ଦିନ ହେଲାଣି । ପୋଲିସ ଦୁଇ ଅପରାଧୀଙ୍କ ବିଷୟରେ ଖବର ଦେବାକୁ ୫୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ଚୌଦ୍ବାର ଜେଲ ଓ୍ବାର୍ଡ଼ନଙ୍କୁ ନିଲମ୍ବିତ କରି ଦାୟିତ୍ବ ସାରିଦେଇଛି । ଏ ଯାଏଁ କୌଣସି ପୋଲିସ ଅଧିକାରୀ ଏ ବାବଦରେ କିଛି ମୁହଁ ଖୋଲୁନାହାନ୍ତି ।