ଟ୍ରାଫିକ ନିୟମ ବିଷୟରେ ସଚେତନ କରିବେ ଛୋଟା ପୋଲିସ୍, ପିଲାଙ୍କୁ ଦିଆଯାଇଛି ଟ୍ରେନିଂ

ବାଲେଶ୍ବର: ଘରେ ଘରେ ଏବେ ଛୋଟା ପୋଲିସ୍ । ଟ୍ରାଫିକ ନିୟମ ବିଷୟରେ କରୁଛନ୍ତି ସଚେତନ । ଗାଡ଼ି ଚଳାଇବାବେଳେ ହେଲମେଟ୍ ବ୍ୟବହାର କରିବା, ରାସ୍ତାରେ ଧିରେ ଗାଡ଼ି ଚାଳନା କରିବା, ଗାଡ଼ି ଚଳାଇବାବେଳେ ମୋବାଇଲ ବ୍ୟବହାର ନକରିବା । ଏମିତି ଅନେକ ବିଷୟରେ ଘରେ ଘରେ ଅଭିଭାବକଙ୍କୁ ସଚେତନ କରୁଛନ୍ତି କୁନି କୁନି ପିଲା । ରାସ୍ତାରେ ଘଟୁଥିବା ବର୍ଦ୍ଧିତ ଦୁର୍ଘଟଣାକୁ ନଜରରେ ରଖି ଏମିତି ଏକ ଅଭିନବ ଉଦ୍ୟମ କରିଛି ବାଲେଶ୍ବର ପୋଲିସ୍ । ଏଥିପାଇଁ ସ୍କୁଲ ସ୍ତରରେ ପିଲାଙ୍କୁ ଟ୍ରାଫିକ ଟ୍ରେନିଂ ଦିଆଯାଇଛି । ଟ୍ରାଫିକ ପୋଲିସ୍ ବାଟ ଦେଖାଉଥିବାବେଳେ ସଚେତନ କରୁଛନ୍ତି ଏହି କୁନି ପୋଲିସ୍ ।

୨୦୨୦ରେ ବାଲେଶ୍ବର ଜିଲ୍ଲାରେ ୪୮୧ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୨୨୮ ଜଣ ଆହତ ହୋଇଥିଲେ ଓ ୩୭୦ ଜଣକର ମୃତ୍ୟୁ ହୋଇଥିଲା । ୨୦୨୧ରେ ୪୭୨ଟି ଦୁର୍ଘଟଣାରେ ୪୧୨ ଜଣ ଆହତ ହୋଇଥିବାବେଳେ ୨୪୭ ଜଣଙ୍କ ଯାଇଥିଲା ଜୀବନ । ୨୦୨୨ରେ ୩୯୨ଟି ଦୁର୍ଘଟଣାରେ ୨୧୦ ଜଣଙ୍କର ମୃତ୍ୟୁ ଓ ୩୪୪ ଜଣ ଆହତ ହୋଇଥିଲେ । କେନ୍ଦ୍ର ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଘଣ୍ଟାରେ ୪୭ ଟି ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହେଉଛି । ପ୍ରତିଦିନ ହାରାହାରି ୧୧୩୦ଟି ଦୁର୍ଘଟଣା ଘଟୁଥିବାବେଳେ ୪୨୨ ଜଣଙ୍କର ମୃତ୍ୟୁ ହେଉଛି । ତେଣୁ ଦୁର୍ଘଟଣା ହ୍ରାସ କରିବାକୁ ପୋଲିସ ପକ୍ଷରୁ ଏପରି ଅଭିନବ ଉଦ୍ୟମକୁ ସଭିଏଁ ସ୍ବାଗତ କରିଛନ୍ତି ।