ଅସହ୍ୟ ହେଲା ମୁଣ୍ଡବ୍ୟଥା, ସ୍କାନିଂ ରିପୋର୍ଟରେ ବାହାରିଲା ଚପ୍‌ଷ୍ଟିକ୍‌

ନନ୍ଦିଘୋଷ ବ୍ୟୁରୋ:  ଦୁନିଆରେ ଏଭଳି ଅଜବ ଗଜବ ରୋଗୀ ଅଛନ୍ତି ଯାହାର ଚିକିତ୍ସା କରିବାକୁ ଯାଇ ଡାକ୍ତର ନାକେଦମ ହୋଇଗଲେଣି  । ନିକଟରେ ଏମିତି ଜଣେ ରୋଗୀଙ୍କୁ ଦେଖି ଆଶ୍ଚର୍ଯ୍ୟ ଡାକ୍ତର ତାଙ୍କୁ ପଚାରିଥିଲେ ତୁମେ ବଞ୍ଚିଛ କେମିତି ? ଭିଏତନାମରୁ ଏଭଳି ଘଟଣା ସାମନାକୁ ଆସିଛି ।

ଜଣେ ରୋଗୀ ୫ ମାସ ମୁଣ୍ଡବ୍ୟଥା ଓ ଧୀରେଧୀରେ ଦୃଷ୍ଟିଶକ୍ତି ହରାଉଥିବା ଅନୁଭବ କରିଥିଲେ  । ଏହା ସହ ତାଙ୍କ ନାକରୁ ଏକ ଭିନ୍ନ ରଙ୍ଗର ପାଣି ବାହାରୁ ଥିବାରୁ ସେ ଡାକ୍ତରଙ୍କ ପରାମର୍ଶ କରିଥିଲେ  । ଡାକ୍ତର ମଧ୍ୟ ପ୍ରଥମେ ରୋଗୀଙ୍କ ରୋଗ ବିଷୟରେ ନଜାଣି ପାରି ତାଙ୍କୁ ସିଟି ସ୍କାନ କରିବାକୁ କହିଥିଲେ  । ସ୍କାନର ରିପୋର୍ଟ ଦେଖି ଚମକି ପଡିଥିଲେ ଡାକ୍ତର  । ରୋଗୀଙ୍କ ନାକ ଭିତରେ କିଛି ଥିଲା ଯାହାକି ତାଙ୍କ ଆଖି ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା  । ଭାଙ୍ଗି ଯାଇଥିବା ଚପଷ୍ଟିକ୍‌ର ଦୁଇ ଖଣ୍ଡ ତାଙ୍କ ନାକ ଭିତରେ ରହିଥିଲା  ।

ପ୍ରଥମେ ସେ ଡାକ୍ତରଙ୍କୁ ଏ ଘଟଣା ବିଷୟରେ କିଛି କହିନଥିଲେ  । କିନ୍ତୁ ଘଟଣାର ଖୁଲାସା କରି କହିଥିଲେ କିଛି ଦିନ ପୂର୍ବରୁ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କର କିଛି ଗୋଷ୍ଠୀ ସହ ଝଗଡା ହୋଇଥିଲା  । କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା  । ତାଙ୍କର ହୋସ୍‌ ଆସିବା ପରେ ସେ ନିଜକୁ ଡାକ୍ତରଖାନାରେ ପାଇଥିଲେ  । ଏହାପରେ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରି ଘରକୁ ପଠାଇ ଦେଇଥିଲେ  । ହେଲେ ମାରପିଟ୍‌ ବେଳେ ଦୁର୍ବୃତ୍ତ ମାନେ ତାଙ୍କ ନାକରେ ଭଙ୍ଗା ଚପଷ୍ଟିକ୍‌ ଭର୍ତ୍ତି କରିଦେଇଥିଲେ ଯାହା କାଢିବାକୁ ଭୁଲି ଯାଇଥିଲେ ଡାକ୍ତର  ।

ଚୀନ ଜାପାନ ଭଳି ଦେଶ ଖାଦ୍ୟ ଖାଇବା ପାଇଁ ଚପ୍‌ଷ୍ଟିକ୍‌ର ବ୍ୟବହାର କରିଥାନ୍ତି  ।