ରାଜ୍ୟରେ ମୁଣ୍ଡ ନେଉଛି ହଇଜା, ୧୦ ଦିନ ପରେ ସରକାର ମାନିଲେ ଡାଇରିଆ ନୁହେଁ ହଇଜାରେ ଯାଇଛି ଜୀବନ

ଯାଜପୁର/ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ନେଉଛି ହଇଜା । ସରକାର ଯେତେ ବି ଘଟଣା ଉପରେ ପରଦା ପକାଇବାକୁ ଚେଷ୍ଟା କଲେ ବି ଆଜି ସତ ମାନିଛନ୍ତି । ଗତକାଲି ରାତି ଯାଏଁ ଯାଜପୁରରେ ପାଞ୍ଚ ଜଣଙ୍କ ମୃତ୍ୟୁ ଡାଇରିଆ ଯୋଗୁଁ ହୋଇଥିବା ସରକାର ରିପୋର୍ଟ ଦେଉଥିଲେ । ହେଲେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଡାଇରିଆ ନିରାକରଣ ଅଭିଯାନରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ୧୦ ଦିନ ପରେ ସରକାର ମାନିଲେ ଯେ ଡାଇରିଆ ନୁହେଁ କଲେରା ଯୋଗୁଁ ଯାଜପୁରରେ ଯାଇଛି ପାଞ୍ଚ ଜଣଙ୍କ ଜୀବନ । ମୃତକଙ୍କ ନମୁନାରୁ କଲେରାର ମାରାତ୍ମକ ବୀଜାଣୁ ଭିବ୍ରିଓ କଲେରି ଚିହ୍ନଟ ହୋଇଥିଲା । ଯାଜପୁରରୁ ସ୍ଥିତି ସମୀକ୍ଷା କରି ଫେରିଥିବା କେନ୍ଦ୍ରୀୟ ଟିମ ବି କଲେରା ବ୍ୟାପୁଥିବା ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ କରିଛନ୍ତି । ରାଜ୍ୟରେ ବହୁ ବର୍ଷର ବ୍ୟବଧାନ ପରେ ହଇଜା ମୃତ୍ୟୁ ହୋଇଥିବାରୁ ଟିମ୍ ଚିନ୍ତା ପ୍ରକାଶ କରିଛି । ପାନୀୟ ଓ ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ବଚ୍ଛତା ଅବଲମ୍ବନ କରିବାକୁ କେନ୍ଦ୍ରୀୟ ଟିମ୍ ପରାମର୍ଶ ଦେଇଛି ।

ଯାଜପୁର ପରେ କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ଡାଇରିଆ ବ୍ୟାପିଲାଣି । ଆଜି ଯାଜପୁର ଜିଲ୍ଲାରେ ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ । ଜିଲ୍ଲାରେ କଲେରା ବ୍ୟାପିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି । ଯାଜପୁରରେ ଦୈନିକ ନୂଆ ରୋଗୀ ଚିହ୍ନଟ ହେଉଥିବାରୁ ଚିନ୍ତା ବଢୁଛି । ସକାଳ ଆଠରୁ ରୋଗୀଙ୍କ ଲାଇନ ଲାଗୁଛି । ଦୂଷିତ ପାଣି ଯୋଗୁଁ କଲେରା ହୋଇଥିବା ସରକାର ରିପୋର୍ଟ କରୁଥିବା ସତ୍ତ୍ବେ ଏହାର ଉତ୍ସର ସନ୍ଧାନ ପାଇ ପାରୁ ନାହାନ୍ତି । ତେବେ ଅନେକ ରୋଗୀଙ୍କ ରିପୋର୍ଟକୁ ଅପେକ୍ଷା କରିଛି ପ୍ରଶାସନ । ଯାଜପୁରରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ହୋଇଛି । ହେଲେ ସରକାର ଏହି ସଂଖ୍ୟାକୁ ମାନିବାକୁ ନାରାଜ । ମୃତକଙ୍କ ମଧ୍ୟରୁ ୫ ଜଣ କଲେରା ରୋଗୀ ଥିବା ସ୍ପଷ୍ଟ ହୋଇଛି । ତେବେ ଅନ୍ୟମାନଙ୍କ ମୃତ୍ୟୁ ବି କଲେରା ଯୋଗୁଁ ହୋଇଥିବା ନେଇ ସନ୍ଦେହ କରିଛି କେନ୍ଦ୍ରୀୟ ଟିମ୍ । ସରକାର ପ୍ରକୃତ ତଥ୍ୟ ପ୍ରକାଶ କରି ସଠିକ୍ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଦାବି ଜୋର ଧରିଛି ।