ଚକ୍ରପଡ଼ାରୁ ମର୍ଡରପ୍ଲଟ, ଚିତ୍ତ ହତ୍ୟାରେ ଯୁବତୀ ଲିଙ୍କ୍

1 min read

ପୁରୀ: କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା  । ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣାରେ ସ୍ପଷ୍ଟୀ କରଣ  । ଏହା ଦୁର୍ଘଟଣା ନୁହେଁ ହତ୍ୟା  । ଏହି ହତ୍ୟାଘଟଣାର ସୁତ୍ରପାତ ଚକ୍ରପଡ଼ାର ଏକ ଘଟଣାରୁ ହିଁ ହୋଇଛି  । ମାଷ୍ଟରମାଇଣ୍ଡ ସାଜିଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ।ହତ୍ୟା ଘଟଣା ସହ ଏକ ଯୁବତୀଙ୍କ ଲିଙ୍କ ରହିଥିବା ମଧ୍ୟ ଜଣା ପଡ଼ିଛି  । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି  । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ମୋଟ ୫ ଜଣକ ପଲିଗ୍ରାଫ ଟେଷ୍ଟ କରିଛି । ଅପରାହ୍ନରେ କ୍ରାଇମବ୍ରାଞ୍ଚ ଡ଼ିଏସପି ଶିଶିର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ସହଯୋଗୀ  ଅଶୋକ ଉପାଧ୍ୟାୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି  । ସେପଟେ ସାତ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଘଟଣାରେ ଏହି ଦୁଇ ଅଭିଯୁକ୍ତଙ୍କ ବ୍ୟତୀତ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ଅନୁମାନ କରିଛନ୍ତି କ୍ରାଇମବ୍ରାଞ୍ଚ ଡ଼ିଏସପି । ସେପଟେ ତଦନ୍ତ ବେଳେ ମୋଟ ୫ ଜଣଙ୍କ ଲାଏ-ଡ଼ିଟେକ୍ସନ ଟେଷ୍ଟ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡ଼ିଏସପି  ।   ଜଗନ୍ନାଥ ଓ ଚିତ୍ତରଞ୍ଜନ ଘଟଣା ଦିନ ରାତିରେ ଚକ୍ରପଡ଼ା ଗାଁକୁ ଯାଇଥିଲେ  । ସେଠାରେ ଏକ ଯୁବତୀଙ୍କ ଘରକୁ ଯାଇଥିବା ସୂଚନା ମିଳିଛି  ।

ଯେହେତୁ ଚିତ୍ତରଞ୍ଜନ ଅନ୍ୟ ଗ୍ରାମର ତେଣୁ ଚକ୍ରପଡ଼ାକୁ ରାତିରେ କାହିଁକି ଯାଇଥିଲେ, ସେନେଇ ଗ୍ରାମବାସୀ ଉତ୍ତେଜିତ ହୋଇଥିଲେ   ।ଜଗନ୍ନାଥଙ୍କୁ ନେଇ କୌଣସି ଅସୁବିଧା ଗ୍ରାମବାସୀଙ୍କ ନଥିଲା, ଗ୍ରାମବାସୀଙ୍କ ସମସ୍ୟା ଥିଲା ଚିତ୍ତଙ୍କୁ ନେଇ  । ତେବେ ଏହି ଘଟଣାରୁ ହିଁ ହତ୍ୟାର ବ୍ଲୁପ୍ରିଣ୍ଟ ହୋଇଥିବା ଅନୁମାନ କରାଯାଉଛି   । ଏନେଇ କ୍ରାଇମବ୍ରାଞ୍ଚ ଡିଏସପି ସ୍ପଷ୍ଟୀକରଣ ରଖିନଥିଲେ ମଧ୍ୟ ସମ୍ୟକ ସୂଚନା ପ୍ରଦାନ କରିଛନ୍ତି  । ସେପଟେ ଆଜି (ଶୁକ୍ରବାର) ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କୁ ଜେଲ ପଠାଯାଇଛି  । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିରେ ଧାରା ୧୨୦(ବି), ୩୦୨, ୨୦୧ ଓ ୩୪ ଲାଗୁ ହୋଇଛି  ।

Leave a Reply