ଚିରଞ୍ଜୀବଙ୍କ ପରେ ବିଜେଡିରେ ମିଶିଲେ ସୁକାନ୍ତ, ବୃନ୍ଦାବନ ଏବଂ ଅବକାଶ

ଭୁବନେଶ୍ବର: ଭୁଶୁଡୁଛି ବିରୋଧୀଙ୍କ ଗଡ଼ । ଦଳ ଛାଡି ବିଜେଡିକୁ ଆସୁଛନ୍ତି ବିଜେପି ଓ କଂଗ୍ରେସର ବରିଷ୍ଠ ନେତା । ଗୋଟିଏ ଦିନରେ ଚାରି ଚାରି ଜଣ ବରିଷ୍ଠ ନେତାଙ୍କ ବିଜେଡିରେ ହୋଇଛନ୍ତି ସାମିଲ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଉଛନ୍ତି ନେତା ।

ଶଙ୍ଖ ଭବନରେ ଲାଗିଛି ମିଶ୍ରଣ ପର୍ବ । ଜଣକ ପରେ ଜଣେ ବିଜେପି ଓ କଂଗ୍ରେସ ନେତା ସାମିଲ ହେଉଛନ୍ତି ବିଜେଡିରେ । ଆଜି ପ୍ରଥମେ ଜଗତସିଂହପୁରର ବରିଷ୍ଠ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାଏକ ଶଙ୍ଖ ଫୁଙ୍କି ଥିଲେ । ସୁକାନ୍ତଙ୍କ ଘର ବାହୁଡ଼ା ହୋଇଥିବା ବେଳେ ତାଙ୍କ ସହ ଶତାଧିକ ନେତା ଓ କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ।

ଏହି କ୍ରମରେ ଶଙ୍ଖ ଭବନରେ ତୃତୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ନିଜ ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ସହ ଶତାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

ବୃନ୍ଦାବନଙ୍କ ପରେ ପରେ ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ଚତୁର୍ଥ ମିଶ୍ରଣ ପର୍ବ । ଏଥିରେ ବୌଦ୍ଧର ବରିଷ୍ଠ କଂଗ୍ରେସ ନେତା ଅବକାଶ ସାହୁ ବିଜେଡିରେ ସାମିଲ ହୋଇଥିଲେ । ୨୦୧୪ ନିର୍ବାଚନରେ କଂଗ୍ରେସରୁ ହୋଇଥିଲେ ବିଧାୟକ ପ୍ରାର୍ଥୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ନେତାମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଦଳକୁ ତୃଣମୂଳ ସ୍ତରରୁ ଆହୁରି ମଜଭୁତ କରିବା ସହ ସେମାନଙ୍କୁ ଯେଉଁ ଦାୟିତ୍ବ ଦିଆଯିବ ନିଷ୍ଠାର ସହ କରିବେ ବୋଲି କହିଛନ୍ତି ନେତାମାନେ ।