ଚିନ୍ମୟୀ ମୃତ୍ୟୁ ମାମଲା; ବୟଫ୍ରେଣ୍ଡର ହେବ ଲାଏ ଡିଟେକ୍ସନ ଟେଷ୍ଟ

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ଘଟଣାରେ ୨ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ବନ୍ଧୁ ମାନସ ଟୁଡୁଙ୍କର ହେବ ମିଛ ଧରା ପରୀକ୍ଷା ।

ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି । ଗତକାଲି ଭୁବନେଶ୍ବର ବିଜେବି ନଗର ସ୍ଥିତ ଭଡାଘରେ ଛାନଭିନ୍ କରିଥିଲା ସମ୍ବଲପୁର ଟିମ୍ । ଡିସେମ୍ବରରେ ଘର ଛାଡ଼ିଥିଲେ ବି ସେଠାରେ ଚିନ୍ମୟୀଙ୍କ ଜିନିଷପତ୍ର ରହିଛି । ଦୁଇଟି ଘର ଛାଡି ରହୁଥିଲେ ବୟଫ୍ରେଣ୍ଡ ପ୍ରୀତିମାନ ।

ଅନେକ ସମୟରେ ପ୍ରୀତିମାନ ଚିନ୍ମୟୀଙ୍କ ଘରକୁ ଆସୁଥିବା ଭଡ଼ାଘର ମାଲିକାଣୀ କହିଛନ୍ତି । ତେବେ କେବଳ ବନ୍ଧୁ ଭାବେ ସାହାଯ୍ୟ କରିଥିବା କହିଛନ୍ତି ପ୍ରୀତିମାନଙ୍କ ମା’ । ତଦନ୍ତ ପାଇଁ ଦୁଇଟି ଟିମ୍ ସୋନପୁର ଓ ବଲାଙ୍ଗିରରେ ଯାଞ୍ଚ କରିଛନ୍ତି । ଘଟଣାସ୍ଥଳରେ ସୁରାଗ ଖୋଜୁଛି ବୁର୍ଲା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ।

ଘଟଣା ଦିନ ମାଆଙ୍କୁ ଫଟୋ ପଠାଇବା ସହ ସ୍ବାଭାବିକ ଭାବେ କଥା ହୋଇଥିଲେ ଚିନ୍ମୟୀ । ସଂଧ୍ୟା ୬ଟାରେ ଘରକୁ ଫେରିବାକୁ କହିଥିଲେ । କିନ୍ତୁ ପରେ ଭଉଣୀ ଜନ୍ମଦିନ ପାଇଁ ଭୁବନେଶ୍ବର ଆସୁଥିବା ଜଣାଇଥିଲେ । ବସରେ ବସିବା ପରେ ମାଆ କଲ୍ କରିବାକୁ କହିଥିଲେ, ହେଲେ କଲ୍ କରିନଥିଲେ । ତେଣୁ ଝିଅ କେବେ ଆତ୍ମହତ୍ୟା କରି ପାରିବ ନାହିଁ ବୋଲି କହିଛନ୍ତି ମୃତ ଚିନ୍ମୟୀଙ୍କ ବାପା ।