ଚୀନ ବୈଦେଶିକ ମନ୍ତ୍ରୀ ଭାରତ ଆସିବାର କାରଣ କ’ଣ ? କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା ..

ନନ୍ଦିଘୋଷ ବ୍ୟୁରୋ: ସୁଧୁରୁଛି ଭାରତ ଚୀନ ସମ୍ପର୍କ ! ଆଗକୁ ବଢୁଛି ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ । ଦୁଇ ଦେଶ ମଧ୍ୟରେ ତିକ୍ତତା ପରେ ଧୀରେ ଧୀରେ ସମ୍ପର୍କରେ ସୁଧାର ଆସୁଛି । ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ୱାଙ୍ଗ ୟିଙ୍କ ଗସ୍ତ ସମୟରେ ଭାରତ-ଚୀନ୍ ସୀମାରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ପାଇଁ ପଦକ୍ଷେପ ଉପରେ ଆଲୋଚନା ହୋଇପାରେ। ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ମାସ ଶେଷରେ ଚୀନ୍ ଗସ୍ତ ପୂର୍ବରୁ ହେଉଛି। ୱାଙ୍ଗଙ୍କ ଏହି ଗସ୍ତକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତ କରିବାର ପ୍ରୟାସ ଭାବରେ ଦେଖାଯାଉଛି ।

୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହା ପରେ ସମ୍ପର୍କରେ ଉତ୍ତେଜନା ଦେଖାଦେଇଥିଲା। ଉଭୟ ପକ୍ଷ ସଂଘର୍ଷ ସ୍ଥାନରୁ ସେମାନଙ୍କର ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି, କିନ୍ତୁ ପରିସ୍ଥିତି ଏପର୍ଯ୍ୟନ୍ତ ଶାନ୍ତ ନାହିଁ । ବର୍ତ୍ତମାନ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ଉଭୟ ଦେଶର ୫୦,୦୦୦ ରୁ ୬୦,୦୦୦ ସୈନିକ ମୁତୟନ ଅଛନ୍ତି।

ଭାରତ-ଆମେରିକା ସମ୍ପର୍କରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ଗସ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପ୍ରକୃତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଦ୍ୱିଗୁଣିତ କରି ୫୦% କରିଛନ୍ତି । ଏଥିରେ ରୁଷିଆ ତେଲ କିଣିବା ଉପରେ ୨୫% ଅତିରିକ୍ତ ଜରିମାନା ମଧ୍ୟ ଅନ୍ତର୍ଭୁକ୍ତ । ୱାଙ୍ଗ ୟିଙ୍କ ସହ ଭାରତ-ଚୀନ୍ ବାଣିଜ୍ୟ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ ।

ସୀମା ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରୀ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ। ସୀମା ଆଲୋଚନା ପାଇଁ ୱାଙ୍ଗ ଏବଂ ଡୋଭାଲଙ୍କୁ ମନୋନୀତ କରାଯାଇଛି । ଡିସେମ୍ବର ୨୦୨୪ରେ ଡୋଭାଲ ଚୀନ୍ ଗସ୍ତ କରିଥିଲେ ଏହି ସମୟରେ ସେ ୱାଙ୍ଗଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଥିଲେ।

ୱାଙ୍ଗ ୟି ଆଜି ଅପରାହ୍ନ ପ୍ରାୟ ୪:୧୫ ରେ ନୂଆଦିଲ୍ଲୀରେ ପହଞ୍ଚିବେ। ସେ ସନ୍ଧ୍ୟା ୬ ଟାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ମଙ୍ଗଳବାର ସକାଳ ୧୧ ଟାରେ ସେ ଏନଏସଏ ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବେ। ଏହି ବୈଠକଗୁଡ଼ିକରେ ଉଭୟ ପକ୍ଷ ସୀମା ପରିସ୍ଥିତି, ବାଣିଜ୍ୟ ଏବଂ ବିମାନ ସେବାର ପୁନରୁଦ୍ଧାର ସମେତ ଅନେକ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରିପାରିବେ। ଏହା ପରେ, ଚୀନ୍ ବୈଦେଶିକ ମନ୍ତ୍ରୀ ସନ୍ଧ୍ୟା ୫:୩୦ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିବେ।

ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୩୧ ତାରିଖରୁ ୨ ଦିନିଆ ଚୀନ ଗସ୍ତରେ ଯାଉଛନ୍ତି । ସେ ବେଜିଂରେ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବେ । ଏହାପୂର୍ବରୁ ମୋଦି ୨୦୧୮ରେ ଚୀନ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ମୋଦି ଷଷ୍ଠ ଥର ପାଇଁ ଚୀନ ଯାଉଛନ୍ତି ।