ସାମ୍ନାକୁ ଆସିଲା ପଡ଼ୋଶୀ ରାଷ୍ଟ୍ର ଚୀନ୍‌ର ଗେମପ୍ଲାନ୍‌, ଆଫଗାନିସ୍ତାନ ବଗ୍ରାମ ଏୟାରବେସକୁ ଗଲା ଚୀନ୍‌

ନୂଆଦିଲ୍ଲୀ: ପଦାକୁ ଆସିଲା ପଡ଼ୋଶୀ ରାଷ୍ଟ୍ର ଚୀନ୍‌ର ଗେମପ୍ଲାନ୍‌। ଆଫଗାନିସ୍ତାନ ବଗ୍ରାମ ଏୟାରବେସକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଚୀନର ଗୁଇନ୍ଦା ଓ ସାମରିକ ପ୍ରତିନିଧି। ୨୦ ବର୍ଷ ଧରି ସ୍ଥିତି ଜାହିର କରିଥିବା ଆମେରିକା ଏହି ବଗ୍ରାମ ଏୟାରବେସକୁ ଦେଶର ସର୍ବବୃହତ ଏୟାରବେସ୍ ଭାବେ ବ୍ୟବହାର କରୁଥିଲା। କିଛି ଦିନ ପୂର୍ବରୁ ସରକାର ଗଠନ ନେଇ କାବୁଲକୁ ଆଇଏସଆଇ ମୁଖ୍ୟ ଫୈଜ ହମିଦ ଗସ୍ତ କରିଥିବା ବେଳେ, ଏବେ ଚୀନ ପ୍ରତିନିଧିଙ୍କ ଏୟାରବେସ ପରିଦର୍ଶନ ଆଗକୁ ନୂଆ ସମୀକରଣ ସୃଷ୍ଟି କରିବ। ଉତ୍ତର କାବୁଲସ୍ଥିତ ଏହି ଏୟାରବେସକୁ ଯାଇ ଚୀନର ଗୁଇନ୍ଦା ଓ ସାମରିକ ପ୍ରତିନିଧି ଆମେରିକା ବିରୋଧରେ କିଛି ପ୍ରମାଣ ସଂଗ୍ରହ କରିଥିବା କୁହାଯାଇଛି।

ଏଠାରେ ତାଲିବାନ ଓ ପାକିସ୍ତାନ ସହଯୋଗରେ ଚୀନ ଏକ ଗୁଇନ୍ଦା ସହାୟକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଚୀନର ଜିଞ୍ଜିଆଙ୍ଗ ପ୍ରଜାତନ୍ତ୍ରର ବିଦ୍ରୋହୀ ୟୁଘୁର ମୁସଲମାନଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ଲାଗି ଏହି ଗସ୍ତ ଉଦ୍ଦିଷ୍ଟ ଥିଲା। ଆଶ୍ଚର୍ଯ୍ୟର କଥା, ଚୀନ ପ୍ରତିନିଧିଙ୍କ ବିମାନ ପାକିସ୍ତାନ ଦେଇ ଆସିଥିଲା। ଫଳରେ କାବୁଲ ବିମାନ ବନ୍ଦରରେ ଏହି ବିମାନ ଦୃଶ୍ୟମାନ ହୋଇ ନଥିଲା। ଏହା ପ୍ରମାଣ କରୁଛି ଚୀନ ପ୍ରତିନିଧିଙ୍କ ଗସ୍ତ ସମ୍ପର୍କରେ ପାକିସ୍ତାନ ଅବଗତ ଥିଲା। ଏପଟେ ଲଦାଖ, ଅରୁଣାଚଳ ପ୍ରଦେଶସ୍ଥିତ ଏଲଏସିର ୧୦ଟି ସ୍ଥାନରେ ଚୀନ ଏୟାରଫୋର୍ସ ଘାଟି ପ୍ରତିଷ୍ଠା କରିଥିବା ବେଳେ, କୌଶଳଗତ ଭାବେ ଗୁରୁତ୍ୱପୂର୍ଣ୍ଣ ବଗ୍ରାମ ଏୟାରବେସକୁ ଚୀନ ପ୍ରତିନିଧିଙ୍କ ଗସ୍ତ ଭାରତ ଲାଗି ଚିନ୍ତାର କାରଣ ହୋଇଛି।

ଯଦି ପାକିସ୍ତାନ ସହାୟତାରେ ଚୀନ ଏଠାରେ ଏୟାରବେସ୍ ପ୍ରତିଷ୍ଠା କରେ, ତେବେ ସୀମାରେ ପୁଣି ଅସ୍ଥିରତା ଦେଖାଦେବ। ଆଇଏସଆଇ ମୁଖ୍ୟ ହମିଦ କାବୁଲ ଗସ୍ତରେ ଯାଇ ତତକାଳୀନ ଆଫଗାନିସ୍ତାନ ସରକାରକୁ ଭାରତ କରୁଥିବା ସହାୟତା ପ୍ରସଙ୍ଗ ଉଠାଇବା ସହ ଆତଙ୍କବାଦ ବୃଦ୍ଧି ଦିଗରେ ଭାରତ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଥିଲେ। ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ପରେ କୂଟନୈତିକ ସମ୍ପର୍କ ଆଗୁଆ ପ୍ରତିଷ୍ଠା କରିବା କ୍ଷେତ୍ରରେ ଚୀନ ଥିଲା ପ୍ରଥମ ରାଷ୍ଟ୍ର। କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ଲାଗି ନିଯୁକ୍ତ ଚୀନ ରାଷ୍ଟ୍ରଦୂତ ହେ ଓ୍ୱାଙ୍ଗ ତାଲିବାନ ନେତାଙ୍କ ସହ ଭେଟି ହସ୍ପିଟାଲ, ସ୍କୁଲ, ସୌରଶକ୍ତି ଷ୍ଟେସନ ନିର୍ମାଣ ଲାଗି ପ୍ରସ୍ତାବ ଦେଇଥିଲେ।

Leave a Reply