ସନ୍ତାନ ଜନ୍ମ କଲେ ମିଳିବ ବର୍ଷେ ଛୁଟି ଓ ୧୧.୫୦ ଲକ୍ଷ ଟଙ୍କା

ବେଜିଂ: ଚୀନର ବେଜିଂରେ ଥିବା ଦେବିୟୋଙ୍ଗ ଟେକ୍ନୋଲୋଜି ଗ୍ରୁପ୍ ନିଜ କର୍ମଚାରୀଙ୍କ ପାଇଁ ଆଣିଛି ଏଭଳି ଅଫର । ରିପୋର୍ଟ ଅନୁଯାୟୀ, ଯେଉଁ କର୍ମଚାରୀ ତୃତୀୟ ସନ୍ତାନ ଲାଭ କରିବେ ସେମାନଙ୍କୁ ୯୦,୦୦୦ ୟୁଆନ୍ ତଥା ଭାରତୀୟ ମୁଦ୍ରାରେ ୧୧.୫୦ ଲକ୍ଷ ଟଙ୍କା ମିଳିବ । ଏଥିସହିତ ମହିଳା କର୍ମଚାରୀଙ୍କୁ କମ୍ପାନୀ ବର୍ଷେ ପାଇଁ ଛୁଟି ଦେବ । ପୁରୁଷଙ୍କୁ ମିଳିବ ୯ ମାସର ଛୁଟି ।

ତୃତୀୟ ସନ୍ତାନ ଛଡା ଦ୍ୱିତୀୟ ସନ୍ତାନ ପାଇଁ ମଧ୍ୟ ଅଫର ରହିଛି । ଦ୍ୱିତୀୟ ସନ୍ତାନ ପାଇଁ ୬୦,୦୦୦ ୟୁଆନ୍ ତଥା ଭାରତୀୟ ମୁଦ୍ରାରେ ୭ଲକ୍ଷ ଟଙ୍କା ନଗଦ ବୋନସ୍ ମିଳିବ । ସେହିପରି ପ୍ରଥମ ସନ୍ତାନ ପାଇଁ ୩୦,୦୦୦ ୟୁଆନ୍ ତଥା ଭାରତୀୟ ମୁଦ୍ରାରେ ୩.୫୦ ଲକ୍ଷ ଟଙ୍କା ନଗଦ ବୋନସ୍ ମିଳିବ ।

ରିପୋର୍ଟ ଅନୁସାରେ ୩ ସନ୍ତାନ ସହ ଜଡିତ ସରକାରଙ୍କ ନିୟମକୁ ସମର୍ଥନ କରିବାକୁ ଯାଇ କମ୍ପାନୀ ଏହି ଯୋଜନା ଆରମ୍ଭ କରିଛି । ଚୀନରେ ବଢୁଥିବା ଜନସଂଖ୍ୟା ଉପରେ ରୋକ୍ ପାଇଁ ସରକାର ’ଏକ ସନ୍ତାନ ନୀତି’ ଲାଗୁ କରିଥିଲେ । ପରେ ଏହି ନୀତି ପାଇଁ ଦେଶରେ ବୟସ୍କଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ବିଭିନ୍ନ ସମସ୍ୟାକୁ ନଜରରେ ରଖି ୨୦୧୬ ମସିହା ବେଳକୁ ସରକାର ’ଏକ ସନ୍ତାନ ନୀତି’କୁ ହଟାଇ ଦେଇଥିଲେ ।

ସରକାରଙ୍କ ନୂଆ ନୀତି ପରେ ମଧ୍ୟ ଜନସଂଖ୍ୟାରେ ବୃଦ୍ଧି ହୋଇନଥିଲା । ଏପରିକି ଯୁବପିଢୀ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ। ଜନସଂଖ୍ୟା ବଢାଇବା ପାଇଁ ଚୀନର କମ୍ପ୍ୟୁନିଷ୍ଟ ସରକାର ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। କମୁଥିବା ଜନସଂଖ୍ୟା ଓ ବଢୁଥିବା ବୟସ୍କଙ୍କ ସଂଖ୍ୟା ଉପରେ ରୋକ୍ ପାଇଁ ‘ତୃତୀୟ ସନ୍ତାନ ନୀତି’ ଉପରେ ଅନେକ ଅଫର ଦିଆଯାଉଛି । ସରକାରଙ୍କ ନୀତିକୁ ସାକାର ପାଇଁ ଏବେ କର୍ପୋରେଟ୍ କମ୍ପାନୀ ଆଗକୁ ବଢିଛି । ୨୦୨୧ରେ ଲାଗୁ ହୋଇଥିବା ’ତିନି ସନ୍ତାନ ନୀତି’କୁ ପ୍ରୋତ୍ସାହିତ କରିବା ପାଇଁ କର୍ପୋରେଟ୍ ସଂସ୍ଥା ଏବେ ନିଜ କର୍ମଚାରୀଙ୍କୁ ଦେଉଛି ଏଭଳି ଅଫର ।

୨୦୨୦ ଜନଗଣନା ଅନୁଯାୟୀ, ଦେଶରେ ୨୦୨୦ ମସିହାରେ ୧୨ ମିଲିୟନ୍ ଶିଶୁ ଜନ୍ମ ଗ୍ରହଣ କରିଥିଲା । ଯେତେବେଳେ କି ୨୦୧୯ ମସିହାରେ ଏହି ସଂଖ୍ୟା ୧୪.୬୫ ମିଲିୟନ୍ ରହିଥିଲା। ଆଉ ମୋଟ୍ ଜନସଂଖ୍ୟା ରହିଥିଲା 140.21 କୋଟି ।