ବିରୋଧ ସତ୍ତ୍ୱେ ପଛକୁ ହଟୁନି ଚୀନ, ହମ୍ବନଟୋଟା ବନ୍ଦର ଅଭିମୁଖେ ଆସୁଛି ଗୁଇନ୍ଦା ଜାହାଜ

ଭୁବନେଶ୍ୱର: ଭାରତର ପାରମ୍ପରିକ ବିରୋଧୀ ରାଷ୍ଟ୍ର ଚୀନ ଏବେ ଭାରତର ସରୁକ୍ଷା ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି । ଚୀନର ଏକ ଗୁଇନ୍ଦା ଜାହାଜ ଭାରତ ପାଇଁ ଏବେ ସବୁଠୁ ବଡ଼ ବିପଦ ସୃଷ୍ଟି କରିବା ପାଇଁ ଯାଉଛି । ଏହି ଜାହଜ ଏବେ ଶ୍ରୀଲଙ୍କାର ହମ୍ୱାନଟୋଟା ବନ୍ଦର ଅଭିମୁଖେ ଆସୁଛି । ଏହି ଜାହାଜର ସ୍ୱତନ୍ତ୍ରତା ହେଉଛି ଏହା ମିସାଇଲ ଟ୍ରାକିଂ ଏବଂ ସାଟେଲାଇଟ ଟ୍ରାକିଂ କରାପାରିବ ।

ଏହି ହାଇଟେକ ଜାହାଜ ଜରିଆରେ ଚୀନ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ବୀପ ସମେତ ପ୍ରତିରକ୍ଷା ବିଭାଗ ତଥ୍ୟ ଉପରେ ନଜର ରଖିପାରେ । ସେନା ପାଇଁ ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଉନ୍ନତମାନର ମିସାଇଲ ପରୀକ୍ଷଣ କରାଯାଇଥାଏ । ହମ୍ବନଟୋଟା ବନ୍ଦର ଠାରୁ ଓଡ଼ିଶା ତଟର ଦୂରତା ମାତ୍ର ୪୭୦ କିମି । ସେଥିପାଇଁ ଓଡ଼ିଶା ତଟରେ ହେବାକୁ ଥିବା ମିସାଇଲ ପରୀକ୍ଷଣକୁ ଏହା ଟ୍ରାକ କରିବା ସହ ଏହାର ମାରକ କ୍ଷମତାର ସୂଚନା ମଧ୍ୟ ସଂଗ୍ରହ କରିବ।

ଚୀନର ବିବାଦୀୟ ସଂନୀରିକ୍ଷିଣ ଏବଂ ଟ୍ରାକିଂ ଜାହାଜ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା ଜାରି ରଖିଛି । ଭାରତର ବିରୋଧ ସତ୍ତ୍ୱେ ଏବେ ବି ଶ୍ରୀଲଙ୍କାର ହମ୍ବନଟୋଟା ଅଭିମୁଖେ ଆଗକୁ ବଢ଼ୁଛି । ଆଜି ସକାଳ ୧୦ ଟାରେ ୨୩୦୦୦ ଟନ ଓଜନର ୟୁଆନ ୱାଙ୍ଗ ୫ ଜାହାଜ ଇଣ୍ଡୋନେସିଆର ପଶ୍ଚିମ ତଟ ଠାରୁ ଦୂରରେ ୨୬ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରୁଥିବା ଦେଖାଯାଇଛି । ଗୁରୁବାର ସକାଳ ୯ ଟା ୩୦ ସୁଦ୍ଧା ହମ୍ବନଟୋଟା ବନ୍ଦରରେ ଏହି ଜାହଜ ପହଞ୍ଚିବାର ଆଶଙ୍କା କରାଯାଉଛି ।

ଭାରତ ସରକାରଙ୍କ ଅପିଲ ପରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଚାଇନିଜ ସରକାରଙ୍କୁ କହିଥିଲେ ଯେ ଏହି ଜାହଜର ଯାତ୍ରା ଟାଳି ଦିଅନ୍ତୁ କାରଣ ଏହାକୁ ନେଇ ଆହୁରି ବିଚାର ବିମର୍ଶର ଆବଶ୍ୟକତା ରହିଛି । ଶ୍ରୀଲଙ୍କା ଚୀନର କଲୋମ୍ବୋ ସ୍ଥିତ ଦୂତାବାସ ପର୍ଯ୍ୟନ୍ତ ଏହି ସୂଚନା ପହଞ୍ଚାଇଥିଲା । ଏବଂ ହମ୍ବନଟୋଟା ବନ୍ଦରକୁ ଯାତ୍ରା ସ୍ଥଗିତ କରିବା ପାଇଁ କୁହାଯାଇଥିଲା । ଚୀନ୍ ଏହାପରେ ଭାରତର ନାଁ ନନେଇ କହିଥିଲା, ସେ ସମସ୍ତଙ୍କୁ ଅପିଲ କରୁଛି ଯେ ଚୀନ ଏବଂ ଶ୍ରୀଲଙ୍କା ମଧ୍ୟରେ ସାମାନ୍ୟା ଲେଣଦେଣରେ କେହି ଦଖଲ ନଦିଅନ୍ତୁ ।

ଭାରତ ସରକାର ହିନ୍ଦ ମହାସାଗରରେ ଏହି ଜାହାଜର ଉପସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଜାହାଜ ସାଟେଲାଇଟ ଟ୍ରାକ କରିପାରିବ ଏବଂ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲର ସୂଚନା ମଧ୍ୟ ସଂଗ୍ରହ କରିପାରିବ । ୟୁଆନ ୱାଙ୍ଗ କ୍ଲାସର ଏହି ଜାହଜକୁ ୪୦୦ ଜଣିଆ ଏକ କ୍ରିୟୁ ଦଳ ସମ୍ଭାଳୁଛି । ଏଥିରେ ଅନେକ ଉନ୍ନତ ପାରାବୋଲିକ ଡିଶ ଏବଂ ସେନ୍ସର ରହିଛି । ଭାରତ ଅନୁମାନ କରୁଛି ଯେ ଏହା ଗମ୍ଭୀର ଭାବେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ।

ଓଡ଼ିଶା ତଟରେ ଭାରତର ବାଲିଷ୍ଟିକ ମିଶାଇଲ ପରୀକ୍ଷଣକୁ ଟ୍ରାକ କରିବା ପରେ ଚୀନ ଏହି ମିଶାଇଲର ପରଫର୍ମାନ୍ସର ଗୁଇନ୍ଦା ତଥ୍ୟ ସଂଗ୍ରହ କରିବ ଏବଂ ଏହାର ସଠିକ ରେଞ୍ଜର ସୂଚନା ମଧ୍ୟ ପାଇପାରିବ ।  ସେହିପରି କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଥିବା ପୋର୍ଟ ଉପରେ ମଧ୍ୟ ଏହାର ନଜର ରଖିବ । ସୂଚନାଥାଉକି ଶ୍ରୀଲଙ୍କାକୁ ଚୀନକୁ ଅନେକ ଋଣ ଦେବାର ଅଛି । ଏଥିମଧ୍ୟରେ ହମ୍ବନଟୋଟା ବନ୍ଦରର ଭିତ୍ତିପ୍ରସ୍ତର ପ୍ରକଳ୍ପ ପାଇଁ ୧.୧ ବିଲିୟନ ଡଲାର ଋଣ ମଧ୍ୟ ସାମିଲ ଅଛି । ଏଥିପାଇଁ ଶ୍ରୀଲଙ୍କା ଏହି ବନ୍ଦରକୁ ଚୀନକୁ ୯୦ ବର୍ଷ ଲିଜରେ ଦେଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି ।