ବେଜିଂ : ଚୀନରେ କମୁଛି ଜନସଂଖ୍ୟା । ୧୯୬୧ ପରେ ପ୍ରଥମ ଥର ପାଇଁ ଜନସଂଖ୍ୟା ହ୍ରାସ ପାଇଛି । ଯାହା ଚୀନର ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇବା ସହ ଆଗାମୀ ଦିନରେ ବାର୍ଦ୍ଧକ୍ୟ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।  ୨୦୨୨ ଶେଷ ସୁଦ୍ଧା ଚୀନ ଜନସଂଖ୍ୟା ୧୪୧ କୋଟି ୧୭ ଲକ୍ଷ ରହିଥିବା ବେଳେ ୨୦୨୧ରେ ଏହା ୧୪୧ କୋଟି ୨୬ ଲକ୍ଷ ରହିଥିଲା ବୋଲି ଚୀନ ନ୍ୟାସନାଲ ବ୍ୟୁରୋ ଅଫ ଷ୍ଟାଟିଟିକ୍ସ ରିପୋର୍ଟ ଦେଇଛି । ସେହିପରି ୨୦୨୧ରେ ପ୍ରତି ହଜାରରେ ଜନ୍ମ ହାର ୭ଦଶମିକ ୫୨ ରହିଥିଲା । ମାତ୍ର ୨୦୨୨ରେ ଏହା ୬ଦଶମିକ ୭୭କୁ ଖସି ଆସିଛି । ସେହିପରି ୧୯୭୬ ପରଠାରୁ ଗତ ଦୁଇ ବର୍ଷରେ ଚୀନରେ ମୃତ୍ୟୁସଂଖ୍ୟା ସର୍ବାଧିକ ହୋଇଛି ।

୨୦୨୧ରେ ପ୍ରତି ହଜାରରେ ମୃତ୍ୟୁହାର ୭ଦଶମିକ ୮ ରହିଥିଲା । ମାତ୍ର ୨୦୨୨ରେ ଏହା ୭ଦଶମିକ ୩୭କୁ ବୃଦ୍ଧି ପାଇଛି । ୧୯୮୦ରୁ ୨୦୧୫ ମଧ୍ୟରେ ଚୀନ ସରକାର ଲଗାଇଥିବା ଓ୍ବାନ ଚାଇଲ୍ଡ ପଲିସିର କୁପରିଣାମ ସ୍ବରୂପ ଏହି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି । ୨୦୧୬ରେ ଏହି ନୀତି ବନ୍ଦ ହେବା ପରେ ବି ପାଠପଢ଼ା ଖର୍ଚ୍ଚ ଆକାଶ ଛୁଆଁ ଯୋଗୁ ଅଧିକାଠ ଦମ୍ପତି ଗୋଟିଏରୁ ଅଧିକ ପିଲା କରୁ ନଥିବା ଏକ ଷ୍ଟଡିରୁ ଜଣାପଡ଼ିଛି ।

ସେହିପରି ଲଗାତାର ୬ବର୍ଷ ଧରି ଚୀନରେ ଜନ୍ମହାର କମିଥିବା ବେଳେ ଗତବର୍ଷ ମୃତ୍ୟୁହାର ଅତ୍ୟଧିକ ବୃଦ୍ଧି ପାଇଥଲା । କରୋନା  ଟିକାକରଣ ଯୋଗୁ ମଧ୍ୟ ବହୁ ଲୋକଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ମଧ୍ୟ ଦେଶରେ କରୋନା ସ୍ଥିତି ଭୟାବହ ହୋଇଛି । ଦେଶରେ ବୟସ୍କଙ୍କ ସଂଖ୍ୟା ବଢୁଥିବାରୁ ଓ୍ବାର୍କ ଫୋର୍ସ କମିବା ସହ ପେନସନ ନେଉଥିବା ଲୋକଙ୍କ ସଂଖ୍ୟା ବଢ଼ିଛି । ଜନସଂଖ୍ୟା ବୃଦ୍ଧିକୁ ବୁଷ୍ଟ କରିବାକୁ ଚୀନର ବିଭିନ୍ନ ସ୍ଥାନରେ ମାତୃତ୍ବକାଳୀନ ଛୁଟି ବଢ଼ାଇବା ସହ, କର ହ୍ରାସ ଆଦି ନିୟମ ଲାଗୁ କରାଯାଇଛି ।