ଚୀନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ଲାଗି ଦିଆଗଲା ସପ୍ତାହେ ଛୁଟି

1 min read

ବେଜିଂ: ଚୀନରେ ବ୍ୟାପକ ହ୍ରାସ ପାଇବାରେ ଲାଗିଛି ଜନସଂଖ୍ୟା । ଯଦି ଏହି ଧାରାରେ ଜନସଂଖ୍ୟା ହ୍ରାସ ପାଏ ତେବେ ଆସନ୍ତା ଦିନରେ ଦେଖାଦେଇପାରେ ବଡ଼ ସମସ୍ୟା । ହ୍ରାସ ପାଉଥିବା ଜନସଂଖ୍ୟା ଏବଂ ବିବାହ ହାର କମୁଥିବା କାରଣରୁ ଏହାର ମୁକାବିଲା ଲାଗି ସରକାରଙ୍କ ରାଜନୈତିକ ପରାମର୍ଶଦାତା ଦେଇଛନ୍ତି ସ୍ବତନ୍ତ୍ର ପ୍ରସ୍ତାବ । ଏ ପରିପ୍ରେକ୍ଷୀରେ ଦେଶର ୯ଟି ଧନ୍ଦାମୂଳକ କଲେଜ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ଲାଗି ଦିଆଯାଇଛି ସୁଯୋଗ । ଚଳିତ ଏପ୍ରିଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରେମଭାବନାକୁ ବଳିଷ୍ଠ କରିବା ଲାଗି ସପ୍ତାହେ ଲାଗି ଛୁଟି ଦିଆଯାଇଛି । ଫାନ୍ ମେଇ ଏଜୁକେସନ ଗ୍ରୁପ ଦ୍ବାରା ପରିଚାଳିତ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ୧ରୁ ୭ ଯାଏ ଦିଆଯାଇଛି ଛୁଟି । ଏହି ୭ ଦିନ ମଧ୍ୟରେ ପ୍ରେମ ଓ ବୈବାହିକ ଜୀବନ ସମ୍ପର୍କରେ ଅନୁଭୂତି ସାଉଁଣ୍ଟିବା ଲାଗି ସେମାନଙ୍କୁ ସୁଯୋଗ ଦିଆଯାଇଛି ।

କଲେଜର ଡେପୁଟି ଡିନ କହିଛନ୍ତି- ଛାତ୍ରଛାତ୍ରୀଙ୍କୁ ନୈସର୍ଗିକ ପରିବେଶରେ ପ୍ରେମର ଅନୁଭୂତି ଲାଗି କର୍ତ୍ତୃପକ୍ଷ ବିଚାର କରିଛନ୍ତି । ନୀଳ ଜଳରାଶି, ସବୁଜ ପାହାଡ଼ ଭିତରେ ସେମାନଙ୍କ ସମ୍ପର୍କ ଜୀବନ ବସନ୍ତର ନୂଆ ଅଧ୍ୟାୟ ସୃଷ୍ଟି କରିବ । ଏପରିକି ଡାଏରୀ ଲିଖନ, ବ୍ୟକ୍ତିଗତ ସମ୍ପର୍କରେ ଉନ୍ନତି, ଟ୍ରାଭେଲ ଭିଡିଓ ତିଆରି ଲାଗି ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ହୋମଓ୍ବାର୍କ । ପୂର୍ବରୁ ଏହି ସ୍କୁଲଗୁଡିକରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବସନ୍ତ ଋତୁରେ ସପ୍ତାହେ ଧରି ଛୁଟି ଦିଆଯାଉଥିଲା । ମାତ୍ର ଚଳିତବର୍ଷର ଥିମ ରହିଛି ଅଲଗା ଥିମ୍- ଏନଜୟ ଦି ବ୍ଲସମ୍ସ, ଗୋ ଫଲ୍ ଇନ ଲଭ । ୧୯୮୦ରୁ ୨୦୧୫ ମଧ୍ୟରେ ଚୀନରେ ଏକ ସନ୍ତାନ ନୀତିକୁ ବଳବତ୍ତର କରାଯାଇଥିବାରୁ ଦେଶର ଜନସଂଖ୍ୟା ବ୍ୟାପକ ହ୍ରାସ ପାଇଛି । ୨୦୨୧ରେ ଏକ ସନ୍ତାନ ବଦଳରେ ୩ ସନ୍ତାନ ନୀତିକୁ କାର୍ଯ୍ୟକାରୀ କରାଯାଇଥିଲା । ମାତ୍ର କୋଭିଡ କାରଣରୁ ଅଧିକାଂଶ ଦମ୍ପତି ଏହି ନୀତି ଗ୍ରହଣ କରି ନଥିଲେ । ବର୍ତ୍ତମାନ ଚୀନର ଜନସଂଖ୍ୟା ୧୪୫ କୋଟିରୁ ଅଧିକ ରହିଥିବାବେଳେ ୨୦୧୫ରେ ଏହି ସଂଖ୍ୟା ଥିଲା ୧୩୭ କୋଟି । ଦକ୍ଷିଣ କୋରିଆରେ ଜନସଂଖ୍ୟା ହ୍ରାସ ପାଉଥିବାବେଳେ ଜନସଂଖ୍ୟା ବୃଦ୍ଧି ଲାଗି ସରକାର ବିକଳ୍ପ ନୀତି ଗ୍ରହଣ କରିବାକୁ ଯାଉଛନ୍ତି ।