ତାଇଓ୍ବାନ ଓ ଭାରତ ବିରୋଧରେ ଚୀନର ଭୂମିକା ନେଇ ଚିଠି ଲେଖିଲେ ସିନେଟର

1 min read

ନୂଆଦିଲ୍ଲୀ :  ତାଇଓ୍ବାନ ଓ ଭାରତ ବିରୋଧରେ ଚୀନର ଭୂମିକା ପ୍ରସଙ୍ଗରେ ସ୍ବରଉତ୍ତୋଳନ କରିଛନ୍ତି ଆମେରିକାର ରିପବ୍ଲିକାନ ସିନେଟର । ମାର୍କୋ ରୁବିଓଙ୍କ ନେତୃତ୍ବରେ କେତେକ ସିନେଟର ଏନେଇ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନଙ୍କୁ ଚିଠି ଲେଖିଛନ୍ତି । ଏହା ସହ ଟ୍ରେଜେରି ସେକ୍ରେଟାରୀ ଜାନେଟ ୟେଲେନଙ୍କୁ ବି ସେମାନେ ପତ୍ର ଲେଖି ଚୀନ ବିରୋଧରେ ବିଷୋଦଗାର କରିଛନ୍ତି ।

ଆସନ୍ତା ୫ ତାରିଖରେ ବ୍ଲିଙ୍କେନ ଓ ଜାନେଟଙ୍କ ବେଜିଂ ଗସ୍ତ ପୂର୍ବରୁ ଏହି ଚିଠି ଗୁରୁତ୍ବପୂର୍ଣ୍ଣ ହୋଇଛି । ଏହା ସହ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଚୀନ କର୍ତ୍ତୃପକ୍ଷଙ୍କ ସହ ବ୍ଲିଙ୍କେନ ଆଲୋଚନା କରିବା ସମ୍ଭାବନା ରହିଛି । ୨୦୧୮ ପରେ ଚୀନ ଗସ୍ତ କରିବା କ୍ଷେତ୍ରରେ ବ୍ଲିଙ୍କେନ ହେଉଛନ୍ତି ପ୍ରଥମ ଆମେରିକୀୟ କୂଟନୀତିଜ୍ଞ ।ଚୀନର ଏହି ଆକ୍ରମଣାତ୍ମକ ଦୃଷ୍ଟିଭଙ୍ଗୀ ଗ୍ରହଣୀୟ ନୁହେଁ ବୋଲି ସେମାନେ ଦର୍ଶାଇଛନ୍ତି ।

ମାନବାଧିକାର ଉଲ୍ଲଂଘନ, ଅନୈତିକ ବାଣିଜ୍ୟ ନୀତି, ଭାରତ-ପ୍ରଶାନ୍ତ ଅଞ୍ଚଳରେ ଆକ୍ରମଣାତ୍ମକ ଆଭିମୁଖ୍ୟ ବିରୋଧରେ ଚୀନକୁ ସତର୍କ କରାଇବା ଲାଗି ମଧ୍ୟ ସେମାନେ ଦୁଇ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ବଳବହୁଳ ଭାରତ-ପ୍ରଶାନ୍ତ ଅଞ୍ଚଳ ଉପରେ ଚୀନର କ୍ରମବର୍ଦ୍ଧମାନ ପ୍ରଭାବ ପରିପ୍ରେକ୍ଷୀରେ ଏକ ମୁକ୍ତ ଓ ଅବାଧ ବାତାବରଣ ପ୍ରତିଷ୍ଠା ଲାଗି ଭାରତ ଓ ଆମେରିକା ସମେତ ଅନ୍ୟାନ୍ୟ ରାଷ୍ଟ୍ର ଆଲୋଚନା ଜାରି ରଖିଛନ୍ତି । ଦକ୍ଷିଣ ଚୀନ ସାଗର ଅନ୍ତର୍ଗତ ତାଇଓ୍ବାନ, ଫିଲିପାଇନ୍ସ, ବ୍ରୁନେଇ, ମ୍ୟାଲେସିଆ ଓ ଭିଏତନାମର ଅନେକ ବିବାଦୀୟ ଅଞ୍ଚଳରେ ଚୀନ ନିଜର ପ୍ରଭାବ ବିସ୍ତାର କରିଆସୁଛି ।