ମାଇକ୍ରୋସଫ୍ଟର ଚେତାବନୀ: AI ଜରିଆରେ ନିର୍ବାଚନ ପ୍ରଭାବିତ କରିବାକୁ ଚୀନ କରୁଛି ଉଦ୍ୟମ

ନୂଆଦିଲ୍ଲୀ: ଭାରତ, ଆମେରିକା ଓ ସାଉଥ କୋରିଆ ସାଧାରଣ ନିର୍ବାଚନକୁ ନେଇ ମାଇକ୍ରୋସଫ୍ଟର ଚେତାବନୀ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ନିର୍ବାଚନ ପ୍ରଭାବିତ କରିବା ଲାଗି ଚୀନ ଉଦ୍ୟମ କରୁଥିବା କହିଲା ମାଇକ୍ରୋସଫ୍ଟ । ତାଇୱାନ ରାଷ୍ଟ୍ରପତି ନିର୍ବାଚନରେ ବି ଚୀନ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଆଇର ବ୍ୟବହାର ପରୀକ୍ଷାମୂଳକ ଭାବେ ସମ୍ପନ୍ନ କରିଥିବା ସୂଚନା ମିଳିଥିଲା । ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଥିରେ ଉଦ୍ଯମ କରାଯାଇଥିବା ଜଣାପଡିଥିଲା ।

ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର ବେଳେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ଏଆଇ ସମ୍ପର୍କରେ ଆଲୋଚନା କରିବା ସହ ଏହାର ସାମାଜିକ ଉପଯୋଗ, ମହିଳା ସମ୍ପର୍କିତ ବିକାଶ, ଆଧୁନିକ ସ୍ବାସ୍ଥ୍ଯସେବା ଓ କୃଷିରେ ଏଆଇର ବ୍ଯବହାର ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତବର୍ଷ ବିଶ୍ବର ପ୍ରାୟ ୬୪ଟି ରାଷ୍ଟ୍ରରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଅର୍ଥାତ ବିଶ୍ବ ଜନସଂଖ୍ଯାର ପ୍ରାୟ ୪୯ ପ୍ରତିଶତ ଲୋକ ଏହି ନିର୍ବାଚନରେ ସାମିଲ ହେବେ । ତେବେ ସବୁଠାରୁ ବଡ଼ କଥା ହେଲା ଚଳିତବର୍ଷ ନିର୍ବାଚନକୁ ବିଭିନ୍ନ ଦିଗରେ ପ୍ରଭାବିତ କରିବା ଲାଗି ଚୀନ ଓ ନର୍ଥ କୋରିଆର ସାଇବର ଗ୍ରୁପ ସାମିଲ ହେବା ଆଶଙ୍କା ରହିଛି । ଏଆଇ ଜରିଆରେ ମିଥ୍ଯା ସୂଚନା ପ୍ରସାରଣ, ଡିପଫେକ ଜରିଆରେ ମନଗଢ଼ା କାହାଣୀର ପ୍ରସାର ଉପରେ ଚୀନ ଗୁରୁତ୍ବ ଦେବା ଆଶଙ୍କା ରହିଛି । ତାଇୱାନ ନିର୍ବାଚନ ସମୟରେ ବେଜିଂର ଷ୍ଟର୍ମ ୧୩୭୬ ନାମକ ସଂସ୍ଥା ବା ସ୍ପାମୋଫ୍ଲେଜ ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଯୋଜନା କରାଯାଇଥିଲା ।