କାଶ୍ମୀରରେ ହେବାକୁ ଯାଉଥିବା ଗ୍ରୁପ-୨୦ ଟୁରିଜିମ୍ ଓ୍ବାର୍କିଂ ଗ୍ରୁପ ବୈଠକରେ ଯୋଗ ଦେବ ନାହିଁ ଚୀନ୍

1 min read

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କାଶ୍ମୀରରେ ହେବାକୁ ଯାଉଥିବା ଗ୍ରୁପ-୨୦ ଟୁରିଜିମ୍ ଓ୍ବାର୍କିଂ ଗ୍ରୁପ ବୈଠକରେ ଯୋଗ ଦେବ ନାହିଁ ଚୀନ୍ । ଏକ ବିବାଦୀୟ ଅଞ୍ଚଳରେ ହେବାକୁ ଯାଉଥିବା ବୈଠକରେ ଚୀନ ଯୋଗଦେବ ନାହିଁ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଓ୍ବାଙ୍ଗ୍ ଓ୍ବେନବିନ୍ । ସେ କହିଛନ୍ତି- ବିବାଦୀୟ ଅଞ୍ଚଳରେ ଗ୍ରୁପ-୨୦ ବୈଠକ ହେବା ଲାଗି ତାଙ୍କ ଦେଶ ବିରୋଧ କରିଆସୁଛି । ଆସନ୍ତା ମେ ୨୨ରୁ ୨୪ ଯାଏ ଶ୍ରୀନଗରରେ ଓ୍ବାର୍କିଂ ଗ୍ରୁପ ବୈଠକ ହେବାକୁ ଯାଉଥିବାବେଳେ ଏଥିରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଯୋଗ ଦେବେ । ଜାମ୍ମୁ ଓ କାଶ୍ମୀରରେ ଗ୍ରୁପ-୨୦ ବୈଠକ ହେବାକୁ ଯାଉଥିବାବେଳେ ଏଥିରେ ଚୀନ୍ ଯୋଗ ନଦେବା ଘଟଣା ଆନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗକୁ ପୁଣି ଫୋକସ୍ କରିଛି ।

ପୂର୍ବରୁ ପାକିସ୍ତାନ ମଧ୍ୟ କାଶ୍ମୀରରେ ଗ୍ରୁପ-୨୦ ବୈଠକ ହେବାକୁ ନେଇ ବିରୋଧାଭାସ ପ୍ରକାଶ କରିଥିଲା । ଗତ ମାର୍ଚ୍ଚରେ ବି ଅରୁଣାଚଳ ପ୍ରଦେଶରେ ହୋଇଥିବା ଗ୍ରୁପ-୨୦ ବୈଠକରେ ଚୀନ୍ ଯୋଗଦେଇ ନଥିଲା । କିଛି ଦିନ ତଳେ କାଶ୍ମୀରକୁ ନେଇ ଚୀନ ଓ ପାକିସ୍ତାନ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଥିଲା ଏବଂ ଜାତିସଂଘ ନିରାପତ୍ତା ପରିଷଦର ପ୍ରସ୍ତାବ ଅନୁଯାୟୀ ଏହି ବିବାଦର ସମାଧାନ କରିବା ଲାଗି ଦାବି କରାଯାଇଥିଲା । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଦାବିକୁ ମଧ୍ୟ ଚୀନ ସମର୍ଥନ କରିଥିଲା । ନୂଆଦିଲ୍ଲୀରେ ଅନୁଷ୍ଠିତ ଏସସିଓ ବୈଠକରେ ବି କାଶ୍ମୀରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲଓ୍ବାଲ ଭୁଟ୍ଟୋଙ୍କ ଦାବିକୁ ତୀବ୍ର ସମାଲୋଚନା କରିଥିଲା ଭାରତ । ଗତ ଜୁନ ୨୦୨୦ରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲଓ୍ବାନ ଘାଟିରେ ସଂଘର୍ଷ ପରଠାରୁ ଭାରତ ଓ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସେତେଟା ଭଲ ରହିନାହିଁ ।