ଆପଦରେ ଅବସର ଖୋଜୁଛି ଚିନ୍, ଭାରତକୁ ଦେଉଛି ନିମ୍ନମାନର ମେଡିକାଲ ଉପକରଣ

ସଂକଟ ବେଳେ ପଡୋଶୀର ସାଘାଂତିକ ଷଡଯନ୍ତ୍ର । ମହାମାରୀ ସମୟରେ ଚୀନ୍ର ମହା ଚାଲ୍ । ଜୀବନ ଯାଉଥିବାବେଳେ ଲାଭ ଦେଖୁଛି ଏଇ ବିସ୍ତାରବାଦୀ ଚୀନ୍ । ସାରା ଦୁନିଆକୁ କରୋନାର ବିପଦ ମଧ୍ୟକୁ ଠେଳିଦେଇ ଏବେ ରଚୁଛି ଷଡଯନ୍ତ୍ର । ସାହାଯ୍ୟ ନାଁରେ ଦେଉଛି ମୃତ୍ୟୁର ଉପହାର । ଭାରତରେ କୋରନା ସ୍ଥିତି ଜଟିଳ ପରିସ୍ଥିତିରେ ରହିଛି । ପ୍ରତିଦିନ ହଜାରହଜାର ଲୋକଙ୍କର ଜୀବନ ଯାଉଛି । ଅକ୍ସିଜେନ ଅଭାବରେ ଛଟପଟ ହୋଇ ଚାଲି ଯାଉଛି ସଂକ୍ରମିତଙ୍କ ଜୀବନ । ଏଭଳି ଭୟଙ୍କର ବିପଦ ସମୟରେ ଭାରତକୁ ପଛପଟୁ ମାରିବାକୁ ଚେଷ୍ଟା କରୁଛି ଚୀନ୍ । ଦେଶରେ ମେଡିକାଲ ସାମଗ୍ରୀର ଅଭାବ ଥିବାରୁ ଭାରତ ପଡୋଶୀ ଦେଶରୁ ଏହାର ଆମଦାନୀ କରୁଛି । ହେଲେ ସାହାର୍ଯ୍ୟ ନାଁରେ ଚୀନ ନକଲି ସାମଗ୍ରୀ ପଠାଉଥିବା ଜଣାପଡିଛି । ଚୀନରୁ ବିପୁଳ ପରିମାଣରେ ମେଡିକାଲ ଉପକରଣ ଭାରତକୁ ଆସୁଛି ।

ଦେଶରେ ଅକ୍ସିଜେନର ଅଭାବ ଦୁର କରିବାକୁ ଚୀନର ବିଭିନ୍ନ କମ୍ପାନୀରୁ ଅକ୍ସିଜେନ୍ କନସେଣ୍ଟ୍ରେଟର ଆମଦାନୀ କରୁଛି ଭାରତ । ହେଲେ ଚୀନର କୁଟିଳ ପ୍ରକୃତି ପାଇଁ ଏବେ ଭାରତ ଅସୁବିଧାର ସମ୍ମୁଖିନ ହେଉଛି । କାରଣ ଅସଲି ବଦଳରେ ଦେଶକୁ ନକଲି ସାମଗ୍ରୀ ପଠାଇ ବ୍ୟବସାୟୀକ ଲାଭ କରୁଛି ଚୀନ୍ । ଜୀବନ ବଞ୍ଚାଇବା ପରିବର୍ତ୍ତେ ନିମ୍ନମାନର ମେଡିକାଲ ଉପକରଣ ପ୍ରଦାନ କରି ମୃତ୍ୟୁର ଖେଳ ଖେଳୁଛନ୍ତି ଚୀନ କମ୍ପାନୀ । ଏହା ସହିତ ସମାନ ଜିନିଷର ଦାମକୁ ମଧ୍ୟ ଅହେତୁକ ଭାବେ ବୃଦ୍ଧି କରିଛନ୍ତି । ଶକ୍ତିଶାଳୀ ରାଷ୍ଟ୍ର ହେବା ନିଶାରେ ଚୀନର ଏହି ଖେଳ ଭୂତାଣୁ ଭୟଠୁ ଆହୁରି ଭୟାନକ ହେଲାଣି । ରିପୋର୍ଟ ଅନୁସାରେ ଆମଦାନୀ ହେଉଥିବା ମେଡିକାଲ ସାମଗ୍ରୀର ଦର ୨ରୁ ୩ଗୁଣ ବଢିଛି । ଦାମ ବଢିଥିଲେ ମଧ୍ୟ ଆସୁଥିବା ସାମଗ୍ରୀର ଗୁଣାବତ୍ତା ଅତ୍ୟନ୍ତ ଖରାପ ।

ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର ଅତ୍ୟନ୍ତ କ୍ଷତିକାରକ ବୋଲି ବିଶେଷଜ୍ଞ କହିଛନ୍ତି । ଅଧିକ ଟଙ୍କା ଦେଇ ଦେଶ ଖରାପ ସାମଗ୍ରୀ କିଣୁଛି । ସେପଟେ ଟଙ୍କା ନେଇ ମାଲେମାଲ ହେଉଛି ଚୀନ୍ । ଅଭିଯୋଗ ଅନୁସାରେ ହାଇଲେବୁଲ ଅକ୍ସିଜେନ ବଦଳରେ ନର୍ମାଲ କନସେଣ୍ଟ୍ରେଟରରେ କମ୍ପ୍ରେସର ନଲଗାଇ ଚୀନ ଭାରତକୁ ରପ୍ତାନୀ କରୁଛି । ତେବେ ବଡକଥା ହେଲେ ପୂର୍ବରୁ ଦିଆଯାଇଥିବା ଅର୍ଡରକୁ କମ୍ପୀନୀମାନେ କ୍ୟାନସଲ କରିଦେଉଛନ୍ତି । ଆଉ ଅଧିକ ଦରରେ ସାମଗ୍ରୀ ନେବାକୁ ବାଧ୍ୟ କରୁଛନ୍ତି । ଅନେକ କମ୍ପାନୀ ଗତ ଏକ ସପ୍ତାହ ଭିତରେ 5 ଲିଟର ଏବଂ 10 ଲିଟର ଅକ୍ସିଜେନ କନସେଣ୍ଟ୍ରେଟରର ମୂଲ୍ୟ ବୃଦ୍ଧି କରିଛନ୍ତି ।

ଯାହାର ମୁଲ୍ୟ ପୂର୍ବରୁ ୨୫ ହଜାର ଥିଲା ତାହା ଏବେ ୩୫ ହଜାରରେ ପହଞ୍ଚିଛି । କିଛି ଦିନ ପୂର୍ବରୁ ଚାଇନାର ରାଷ୍ଟ୍ରଦୂତ ଟ୍ୱିଟ୍ କରି ନିଜର ମହାନତାକୁ ବଖାଣିଥିଲେ । ସେ କହିଥିଲେ ବିପଦ ସମୟରେ ଚାଇନାର କମ୍ପାନୀଗୁଡିକ ମାନବିକତା ଦେଖାଇଛନ୍ତି । ଭାରତୀୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି । ମାତ୍ର ଚୀନ କମ୍ପାନୀ ଗୁଡିକର ଏଭଳି ଆଚରଣ ପୁଣି ଥରେ ତାର ଦୋମୁହାଁ ନୀତି ଓ ଲାଭଖୋର ମନୋବୃତ୍ତିକୁ ପଦାକୁ ଆଣିଛି ।

Leave a Reply