ବଢ଼ିଲା ତାଇଓ୍ୱାନ ଟେନସନ, ଚାରିପଟେ ସମରାଭ୍ୟାସ ଲାଗି ଚୀନର ଘୋଷଣା

ନୂଆଦିଲ୍ଲୀ: ତାଇଓ୍ୱାନକୁ ନେଇ ବଢ଼ିଲା ଟେନସନ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧ ସତ୍ତ୍ୱେ ତାଇଓ୍ୱାନ ଚାରିପଟେ ସମରାଭ୍ୟାସ କରିବା ଲାଗି ଚୀନର ଘୋଷଣା । ବଳପୂର୍ବକ ଯଦି ତାଇଓ୍ୱାନକୁ ଚୀନ ସହ ମିଶାଇବା ଲାଗି ପଦକ୍ଷେପ ନିଆଯାଏ, ତେବେ ଆମେରିକା ହସ୍ତକ୍ଷେପ କରିବ ବୋଲି ବାଇଡେନ ଧମକ ଦେଇଥିବା ସତ୍ତ୍ୱେ ଚୀନ ସମରାଭ୍ୟାସ ଘୋଷଣା କରିଛି । ଦୀର୍ଘ ଦିନ ଧରି ତାଇଓ୍ୱାନକୁ ନିଜର ଏକ ପ୍ରଜାତନ୍ତ୍ର ବୋଲି ଚୀନ ଦାବି କରି ଆସୁଥିବା ବେଳେ ଆମେରିକା ଏହାର ବିରୋଧ କରିଆସୁଛି ।

ତାଇଓ୍ୱାନ ସହ ଆମେରିକାର ମେଣ୍ଟକୁ ବିରୋଧ କରି ପିପୁଲ୍ସ ଲିବରେସନ ଆର୍ମି ସମରାଭ୍ୟାସ କରିବ ବୋଲି ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତ ସୋମବାର ତାଇଓ୍ୱାନ ଚାରିପାଖେ ପିଏଲଏ ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ପକ୍ଷରୁ ଏକ ଯୁଦ୍ଧ ସଂକ୍ରାନ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ସମୁଦ୍ର ଓ ଆକାଶରେ ବିଭିନ୍ନ ବାହିନୀ ରଣକୌଶଳ ପ୍ରଦର୍ଶନ କରିଥିଲେ । ପିପୁଲ୍ସ ଲିବରେସନ ଆର୍ମିକୁ ହାଇଆଲର୍ଟରେ ରଖାଯାଇଛି ଏବଂ ବାହ୍ୟ ଶକ୍ତିର ଯେକୌଣସି ପ୍ରକାର ମୁକାବିଲା ଲାଗି ସୈନ୍ୟବାହିନୀ ପ୍ରସ୍ତୁତ ବୋଲି ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କ୍ୱାଡ ସମ୍ମିଳନୀରେ ଜାପାନ ପ୍ରଧାନମନ୍ତ୍ରୀ କିସିଦା ଫୁମିଓଙ୍କ ସହ ବାଇଡେନ ତାଇଓ୍ବାନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ତାଇଓ୍ବାନର ନିରାପତ୍ତାକୁ ଆମେରିକା ଅଗ୍ରାଧିକାର ଦେବ ବୋଲି କହିଥିଲେ ।