ଅରୁଣାଚଳରେ ପୁଣି ଚୀନର ଦାଦାଗିରି, ୧୧ ସ୍ଥାନକୁ ନିଜ ନାଁରେ କଲା
ନୂଆଦିଲ୍ଲୀ: ଅରୁଣାଚଳରେ ପୁଣି ଚୀନର ଦାଦାଗିରି । ୧୧ ସ୍ଥାନର ନାମ ବଦଳାଇ ଏହାକୁ ଦକ୍ଷିଣ ତିବ୍ବେତ ବୋଲି କହିଛି ଚୀନ୍ । ଚୀନ ନାଗରିକ ମନ୍ତ୍ରଣାଳୟ ପକ୍ଷରୁ ୧୧ସ୍ଥାନର ନାମ ଜାରି କରାଯାଇଛି । ଦୁଇଟି ଭୂମି କ୍ଷେତ୍ର, ଦୁଇଟି ଜନବସତି କ୍ଷେତ୍ର, ୫ଟି ପର୍ବତାଞ୍ଚଳ ଓ ଦୁଇଟି ନଦୀର ନାଁ ଜାରି କକରାଯାଇଛି ।
ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଏ ନେଇ ପ୍ରକାଶିତ ରିପୋର୍ଟରେ ଏହି ନାମ ପରିବର୍ତ୍ତନକୁ ତୃତୀୟ ପର୍ଯ୍ୟାୟ ବୋଲି କୁହାଯାଇଛି । ୨୦୧୭ ରେ ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାମକୁ ଚୀନ ପରିବର୍ତ୍ତନ କରିଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ପୂର୍ବରୁ ଚୀନର ଏହି କାରନାମାକୁ ଭାରତ ବିରୋଧ କରିଆସିଛି ।
ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ । ନାମ ପରିବର୍ତ୍ତନ କରିଦେଲେ ତଥ୍ୟ ବଦଳିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଚୀନ ଭାରତ ମଧ୍ୟରେ ୩୪ଶହ ୮୮ କିମି ଲମ୍ବର ସୀମା ଅଞ୍ଚଳ ରହିଛି। ଇଷ୍ଟର୍ଣ୍ଣ, ମିଡିଲ ଓ ଓ୍ବେଷ୍ଟର୍ଣ୍ଣ ନାମରେ ଏହି ସୀମାକୁ ବିଭାଜନ କରାଯାଇଛି । ଇଷ୍ଟର୍ଣ୍ଣରେ ସିକ୍କିମ ଓ ଅରୁଣାଚଳର ୧୩ଶହ ୪୬କିମି ସୀମା ଚୀନ ସହ ରହିଥିବା ବେଳେ ମିଡିଲ ସେକ୍ଟରରେ ଅରୁଣାଚଳ ଓ ଉତ୍ତରାଖଣ୍ଡର ୫୪୫ କିମି ଓ ଓ୍ବେଷ୍ଟର୍ଣ୍ଣ ସେକ୍ଟରରେ ଲଦାଖର ୧୫ଶହ ୯୭କିମି ଲମ୍ବ ସୀମାଞ୍ଚଳ ରହିଛି। ଅରୁଣାଚଳ ପ୍ରଦେଶର ୯୦ହଜାର ବର୍ଗମିଟରକୁ ଚୀନ ନିଜର ବୋଲି ଦାବି କରିଆସୁଛି ।