ଶ୍ରୀଲଙ୍କାରେ ରାଡାର ବେସ୍ କରିବ ଚୀନ୍, ଶ୍ରୀହରିକୋଟା ଓ ଚାନ୍ଦିପୁରରେ କରିପାରେ ଗୁଇନ୍ଦାଗିରି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତିଆରି ହେବ ଚାଇନା ରାଡାର । ହଁ ଏମିତି କିଛି ପ୍ଲାନ ପ୍ରସ୍ତୁତ କରୁଛି ଡ୍ରାଗନ । ଚୀନର ବିଆରଆଇ ଋଣ ପାହାଡ଼ ତଳେ ଦବି ହୋଇ ରହିଛି ଶ୍ରୀଲଙ୍କା । ଏହାର ଫାଇଦା ନେଇଛି ଶ୍ରୀଲଙ୍କାକୁ ବ୍ଲାକମେଲ କରୁଛି ଚୀନ୍ । ହମ୍ବନଟୋଟା ବନ୍ଦର ପରେ ରାଡାର ଷ୍ଟେସନ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି ଚୀନ୍ । ୨ ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ନ କରିବାର ସର୍ତ୍ତ ରଖି ରାଡାର ଷ୍ଟେସନ ପ୍ରତିଷ୍ଠା ପାଇଁ ଶ୍ରୀଲଙ୍କାକୁ ମାଗିଛି ଅନୁମତି । ଚୀନର ଏହି ଚକ୍ରାନ୍ତ କେବଳ ଭାରତ ପାଇଁ ନୁହେଁ ଆମେରିକା ଓ ବ୍ରିଟେନ୍ ପାଇଁ ମଧ୍ୟ ସୃଷ୍ଟି କରିବ ବଡ଼ ବିପଦ ।

ବ୍ରିଟେନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ୍ ଏହି ରାଡାର ସାହାର୍ଯ୍ୟରେ ଭାରତ, ଆମେରିକା ଓ ବ୍ରିଟେନର ନୌସେନା କାର୍ଯ୍ୟକଳାପ ଉପରେ ନଜର ରଖିବ । ଏହି ରାଡର ମାଧ୍ୟମରେ ଭାରତର କୁଡନକୁଲମ, କଲପକ୍କମ ପରମାଣୁ ବିଦ୍ୟୁତ କେନ୍ଦ୍ର, ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ଏବଂ ଆମେରିକା ତଥା ବ୍ରିଟେନର ମିଳିତ ନୌସେନା ଘାଟି ଡିଆଗୋଗାର୍ସିଆ ଉପରେ ରଖିପାରିବ ଗୁଇନ୍ଦା ନଜର ।

ଚୀନ୍ ଶ୍ରୀଲଙ୍କାରେ ଡୋଣ୍ଡ୍ରା ଉପକୂଳରେ ନୂଆ ଜଙ୍ଗଲ ରାଡାର ଲଗାଇବାକୁ ଚାହୁଁଛି । ଏହି ରାଡାରକୁ ଶ୍ରୀଲଙ୍କାର ରୁହାନା ଘଞ୍ଚ ଜଙ୍ଗଲରେ ଲଗାଯିବ । ଏହି ପ୍ରକଳ୍ପର ତଦାରଖ ଚୀନର ସାଇନ୍ସ ଏକାଡେମୀ କରିବ । ରଣନୈତିକ ଦୃଷ୍ଟିରୁ ଏହି ଅଞ୍ଚଳ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଚୀନ ମହାଶକ୍ତିଶାଳୀ ରାଡାର ସାହାର୍ଯ୍ୟରେ ଭାରତର ଶ୍ରୀହରିକୋଟା ମହାକାଶ କେନ୍ଦ୍ର, ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ନଜର ରଖିପାରିବ । ଏହା ବ୍ୟତୀତ ଚୀନ୍ ତା’ର ଉପଗ୍ରହକୁ ମଧ୍ୟ ସହଜରେ ପରିଚାଳନା କରିପାରିବ ।

କେବଳ ଭାରତ ମହାସାଗର ନୁହେଁ, ଆରବ ସାଗରରେ ପତିଆରା ବିସ୍ତାର କରିବାକୁ ଷଡ଼ଯନ୍ତ୍ର କରୁଛି ଚୀନ୍ । ନିଜର ଦବଦବା ଜାରି ରଖିବା ପାଇଁ ଏହାକୁ ଚାରି ପଟୁ ଘେରିବାକୁ ଯୋଜନା କରୁଛି । ଆରବ ସାଗରର ପଶ୍ଚିମରେ ଥିବା ଜିବୁତି ଠାରେ ଚୀନର ଏକ ନୌସେନା ଘାଟି ପ୍ରସ୍ତୁତ ହୋଇସାରିଛି। ସେହିଭଳି ଆରବ ସାଗରର ଉତ୍ତରରେ ପାକିସ୍ତାନର ଗ୍ଵାଦର ବନ୍ଦର ନିକଟରେ ମଧ୍ୟ ଚୀନ୍ ନୌସେନା ଘାଟି ନିର୍ମାଣ କରିବାକୁ ଯାଉଛି । ତେବେ ଚାଲାକି ଚୀନର ଏହି ଯୋଜନା ପଛର ନିଶାନା ଭାରତ ନୁହେଁ ତ । କାରଣ ଭାରତ ସୀମାର ଚତୁପାର୍ଶ୍ୱରେ ହିଁ ସାମରିକ ଘାଟି ଗଢି ଚାଲିଛି ଡ୍ରାଗନ ।