ଗୋଟିଏ ମିସନରେ ମହାକାଶକୁ ୪୧ଟି ଉପଗ୍ରହ ପ୍ରେରଣ

ନୂଆଦିଲ୍ଲୀ : ଗୋଟିଏ ମିସନରେ ମହାକାଶକୁ ଏକାଥରକେ ୪୧ଟି ଉପଗ୍ରହ ପ୍ରେରଣ କଲା ଚୀନ । ଲଙ୍ଗ ମାର୍ଚ୍ଚ ୨ଡି ରକେଟରେ ଏହି ଉପଗ୍ରହ ପ୍ରେରଣ କରିଛି ଚୀନ । ଗୋଟିଏ ମିସନରେ ମହାକାଶକୁ ସର୍ବାଧିକ ସଂଖ୍ୟକ ସାଟେଲାଇଟ ପ୍ରେରଣ କରିବା ଚୀନ ଇତିହାସରେ ପ୍ରଥମ ।

ତାଇୟୁଆନ ସାଟେଲାଇଟ ଲଞ୍ଚ ସେଣ୍ଟରରୁ ଏହି ଉପଗ୍ରହ ପ୍ରେରଣ କରାଯାଇଛି । ମହାକାଶ ଷ୍ଟେସନକୁ ୩ ଜଣ ଯାତ୍ରୀଙ୍କୁ ପଠାଇବାର କିଛି ସପ୍ତାହ ପରେ ଚୀନ ଏହି ରେକର୍ଡ କରିଛି । ଲଙ୍ଗମାର୍ଚ୍ଚ ରକେଟ ସିରିଜର ଏହା ହେଉଛି ୪୭୬ତମ ଫ୍ଲାଇଟ ମିଶନ ।

କମର୍ସିଆଲ ରିମୋଟ ସେନସିଂ ସର୍ଭିସ ଓ ଟେକ୍ନୋଲୋଜି ଭେରିଫିକେସନ କାର୍ଯ୍ୟରେ ଏହି ସାଟେଲାଇଟ ବ୍ୟବହୃତ ହେବ । ଗତ କିଛି ବର୍ଷ ଧରି ଚୀନ ମହାକାଶ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ସହ ଅଧିକ ସଂଖ୍ୟକ ଉପଗ୍ରହ ପ୍ରେରଣ କରୁଛି । ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରକୁ ମାନବ ପ୍ରେରଣ ଲାଗି ଚୀନ ଯୋଜନା କରିଛି ।